ଆଜି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ । ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ପାଳନ । ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ସ୍ମାର୍ଟ ମିଟରକୁ ବିରୋଧ କରି ବନ୍ଦ ଡାକରା ଦେଇଛି କୃଷକ ସଂଘ । ତେବେ ବାଦ୍ ପଡିଛି ଅତ୍ୟାବଶକୀୟ ସେବା । ଓଡ଼ିଶା ବନ୍ଦ ପାଳନ ଡାକରା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶହ ଶହ ଗାଡ଼ି ଅଟକି ରହିଛି । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ସୁବର୍ଣ୍ଣପୁର ବିନିକାରେ ପିକେଟିଂ କରାଯାଇଛି । କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ଥିବା ଯୋଗୁଁ ଗନ୍ତବ୍ୟ ସ୍ଥଳ ଯିବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି । ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିଛି । କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅନ୍ୟପଟେ ବିଜେଡି ବନ୍ଦ ଡାକରାକୁ ସିଧାସଳଖ ସମର୍ଥନ ଦେଇ ନଥିଲେ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ସାଧୁବାଦ ଜଣାଇଛି । ବିନିକା-ବରପାଲି ଏନ୍ଏଚ୍ କଲେଜ ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବଲାଙ୍ଗିର ମୁଖ୍ୟ ଡାକଘରେ ଆନ୍ଦୋଳନକାରୀ ତାଲା ଲଗାଇଛନ୍ତି ଏବଂ ସହରରେ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ କରିଛନ୍ତି । ଓଡ଼ିଶା ବନ୍ଦ ପାଳନ ଅବସରରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ଟୁଇନ୍ ସିଟିର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । Post navigation Odisha Bandh On January 28: ଓଡ଼ିଶା ବନ୍ଦ ଡାକରା ନେଇ ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ