ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଛନ୍ତି ଏବଂ ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି । ୨୦୧୫ ମସିହାରେ ୭୧ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ଥିଲା ଏହି ବନ୍ଦରର, ଯାହା ବଢ଼ି ୨୦୨୫ରେ ୧୫୦ ନିୟୁତ ଟନ୍କୁ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ୪୬,୦୦୦ କୋଟି ଟଙ୍କାର ନିବେଶ ପ୍ୟାକେଜ୍ ଘୋଷଣା କରିଛନ୍ତି, ଯେଉଁଥିରେ ଗଞ୍ଜାମ ଜିଲ୍ଲାର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର, ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ଓ ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍ ଟର୍ମିନାଲ୍ ଗଢ଼ାଯିବ । ଏହି ପଦକ୍ଷେପଗୁଡ଼ିକ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । Post navigation Nuapada Bye-Election: ବିଜେପିର ଶାଢ଼ୀ ଓ ଟଙ୍କା ବଣ୍ଟା ନେଇ ଅଭିଯୋଗ କଲା କଂଗ୍ରେସ Bali Jatra 2025: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା