ବଡ଼ ଦିଅଁ, ବଡ଼ ଠାକୁର ନାଁରେ ପରିଚିତ ଆମ କାଳିଆ ସାଆନ୍ତେ । ସତରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ସବୁଠୁ ନିଆରା । କାଳିଆ ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । କାଳିଆ ନାଁ ଶୁଣିଲେ ରୋଗୀର ରୋଗ ଭଲ ହୋଇଯାଏ, ଆଉ ଶୁଖିଲା ଡାଳରେ ପତ୍ର କଅଁଳିଲା ଭଳି ମନେହୁଏ ମାନବୀୟ ସମ୍ବନ୍ଧାନୁଭୂତି ସହିତ ଜଡିତ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ।ବୈଦିକ ବାକ୍ୟରେ ଉଲ୍ଲେଖ ଅଛି, ମହାପ୍ରଭୁ ସାଧାରଣ ମାନବ ସମାଜର ମଙ୍ଗଳ ପାଇଁ ଏହି ଧରାଧାମରେ ଅବତରଣ କରି ଲୋକମାନଙ୍କ ପରି ମାନବୀୟ ଲୀଳା କରିଥାନ୍ତି। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ରେ ମଧ୍ୟ ଉଲ୍ଲେଖ ଅଛି, ସ୍ୱୟଂ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଦାରବତନୁ ଧାରଣ କରି ମାନବ ଲୀଳାର ପରିପ୍ରକାଶ ପାଇଁ ପରମପାବନ ଶ୍ରୀପୁରୁଷୋତ୍ତମକ୍ଷେତ୍ରରେ ବିରାଜମାନ କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ, ଯେ କଳିଯୁଗରେ ଜଗତବାସୀଙ୍କୁ ତ୍ରିତାପରୁ ଉଦ୍ଧାର କରିବାପାଇଁ ମହାପ୍ରଭୁ ସ୍ୱୟଂ ଆବିର୍ଭୂତ ହୋଇ ବାରମାସରେ ତେରଯାତ୍ରା ସହ ଶତାଧିକ ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ନିଜର ଲୀଳା ଖେଳା ପ୍ରକଟ କରୁଛନ୍ତି। ପ୍ରଭୁ ଯେଉଁ ଶ୍ରେଷ୍ଠ ଆଉ ଧର୍ମର ଯାତ୍ରା ବଡଦାଣ୍ଡରେ ନିର୍ବାହ କରୁଛନ୍ତି, ତାହାର ଆଜି ଅନ୍ତିମ ଦିବସ । ବିଶ୍ବ ଚେତନା ପୁରୁଷୋତ୍ତମ ଚେତନା। ସେହି ଚେତନାରେ ରହି ପ୍ରଭୁଙ୍କୁ ରତ୍ନବେଦୀକୁ ସେବାୟତମାନେ ବିଜେ କରାଇବେ। ତେଣୁ ଶରଧା ବାଲିରେ ରଚିତ ଏହି ମର୍ତ୍ତ୍ୟ ବୃନ୍ଦାବନ “ରାସ” ଦେଖିବା ପାଇଁ ମର୍ତ୍ତ୍ୟ,ଅନ୍ତରୀକ୍ଷ ,ସ୍ବର୍ଗ ର ସମସ୍ତ ଦେବତା ,ନର,ଯକ୍ଷ,କିନ୍ନର ଆଶାୟୀ ।।ଲକ୍ଷ୍ମୀ ନାରାୟଣ ବଚସା ଦେଖି ପବିତ୍ର କରିବେ ଚକ୍ଷୁ ।।ମା ଲକ୍ଷ୍ମୀ ଅଭିମାନିନୀ ଜଗତବାସୀ ଙ୍କ ଆଗରେ ସାଧାରଣ ଗୃହିଣୀଟିଏ । ନୀଳାଦ୍ରୀ ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ବଢିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ । ରାଘବ ଦାସ ମଠ ଟାହିଆ ଯୋଗାଈଥାନ୍ତି ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୋଇଥାଏ ଓ ଅଖଣ୍ଡ ବଇଠା ବସେ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ନନ୍ଦିଘୋଷ ରଥରୁ ମଦନମୋହନଙ୍କୁ , ବଳଭଦ୍ରଙ୍କ ରଥରୁ ରାମକୃଷ୍ଣଙ୍କ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଥାନ୍ତି । ତତ୍ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ବଢିଥାଏ । ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ଏହାପରେ ଭଣ୍ଡାର ଘର ଦ୍ୱାରଠାରେ ଲକ୍ଷ୍ମୀଠାକୁରାଣୀଙ୍କର ବନକ ଲାଗି କରାଇ, ପାଟବସ୍ତ୍ର ତଥା ବିଭିନ୍ନ ପୁଷ୍ପ ଅଳଙ୍କାରରେ ତାଙ୍କୁ ବିମଣ୍ଡିତ କରାଇ, ମହାଜନ ସେବକମାନେ ସାତପାହାଚ ପର୍ଯ୍ୟନ୍ତ ତାଙ୍କୁ ହାତରେ ବିଜେ କରାଇ ଆଣି, ସେଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ଠାକୁରାଣୀ ପଟୁଆରରେ ରୂପାବେଣ୍ଟ ଲଗା ନାଲିରଙ୍ଗର ଓଲାର (ଓଲଟ ଛତ୍ର), ବଜୟନ୍ତ୍ରୀ, କାହାଳୀ, ଚକ୍ରଦିହୁଡ଼ି, ମଶାଲ ଦିହୁଡ଼ି ଆଦି ସହ ଯାତ୍ରା କରିଥାନ୍ତି। ସାତ ପାହାଚଠାରୁ ବାହାରି, ରୋଷଘର ପରିସର ଦେଇ, ସିଂହଦ୍ୱାରର ଦକ୍ଷିଣ ପଟକୁ ଥିବା ପୂର୍ବାଭିମୁଖୀ ଭେଟ ମଣ୍ଡପଠାରେ ଲକ୍ଷ୍ମୀଦେବୀ ବିଜେ ହୁଅନ୍ତି। ଭେଟମଣ୍ଡପଠାରେ ତ୍ରୈଲୋକ୍ୟେଶ୍ୱରୀ ମା ମହାଲକ୍ଷ୍ମୀ ଡମ୍ବରୁ ଉପରେ ବିଜେ ହେବା ପରେ, ଅଖିଳ ବ୍ରହ୍ମାଣ୍ଡର ନାୟକ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନକୁ ବିଜେ ହେବାପାଇଁ, ନନ୍ଦିଘୋଷ ରଥରୁ ଚାରମାଳ ଉପରକୁ ଟାହିଆ ପିନ୍ଧି ଓହ୍ଲାନ୍ତି। ଭେଟମଣ୍ଡପଠାରେ ଥିବା ଦେବୀ ଲକ୍ଷ୍ମୀଙ୍କ ସହିତ, ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଚାରିଚକ୍ଷୁର ମିଳନ ହୁଏ। ସେ ଅପୂର୍ବ ଚାହାଣୀ ମୂହୁର୍ତ୍ତକୁ ଭାବଭକ୍ତିରେ ବାନ୍ଧିଦିଏ। ଯେଉଁଠି ବ୍ରହ୍ମାଣ୍ଡ ଠାକୁର ନିଜକୁ ଦୋଷୀ ବୋଲି ଭାବି ଭାବ ପ୍ରକଟ କରୁଥାନ୍ତି , ” କେବଳ ଦୋଷ …ତାଙ୍କର ଦୁଇଦିନ ଫେରିବାର କଥା ଦେଇ କଥା ରଖି ପାରି ନାହାଁନ୍ତି । ” ଭେଟମଣ୍ଡପରେ ଥିବା ମହାଲକ୍ଷ୍ମୀଙ୍କ ସହ ନନ୍ଦିଘୋଷରେ ଥିବା ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଅବସରରେ, ପତି ମହାପାତ୍ର ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ଅକ୍ଷତ ବନ୍ଦାପନା କରିବା ସହ, କର୍ପୂର ଆଳତି, ନୈବେଦ୍ୟ ସମର୍ପଣ ଓ ବନ୍ଦାପନା କରିଥାନ୍ତି। ଠିକ୍ ସେହି ସମୟରେ ଲକ୍ଷ୍ମୀଠାକୁରାଣୀଙ୍କ ନିକଟରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବା ସହିତ ନୈବେଦ୍ୟ ଭାବରେ ରସଗୋଲା ସମର୍ପଣ କରିଥାନ୍ତି। ଲକ୍ଷ୍ମୀଠାକୁରାଣୀ ଓ ଶ୍ରୀଜଗନ୍ନାଥଙ୍କର ଏହି ଭେଟ ଓ ବନ୍ଦାପନା କାଳରେ, ହରିବୋଲ ହୁଳହୁଳି, ନାନା ବାଦ୍ୟ, ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନରେ ବଡ଼ଦାଣ୍ଡ ଓ ସିଂହଦ୍ୱାର ଉଚ୍ଛୁଳି ଉଠେ। ଶାସ୍ତ୍ରୀୟ ମାନ୍ୟତା ଅଛି ଯେ ଏ ଦୃଶ୍ୟକୁ ଭକ୍ତିଭାବରେ ଦର୍ଶନ କରୁଥିବା ବ୍ୟକ୍ତିର ସକଳ ମନୋକାମନା ପୂର୍ଣ୍ଣ ହୋଇଥାଏ। କିନ୍ତୁ ମାଙ୍କ ରାଗ ସେତିକିରେ ସରେନି ଏଠି ଘରଣୀ ରାଗିବା ସ୍ବାଭାବିକ ! ପୁନଶ୍ଚ ରାଗ ଏତେ ପରିମାଣରେ ବଢି ଯାଇଥାଏ ଯେ ଦାସି , ପରିଚାରୀ , ଦେବଦାସୀଙ୍କୁ କହିଛନ୍ତି ବଜ୍ରକବାଟ ବନ୍ଦ କରିଦିଅ । ଠାକୁର ବାହାରେ ଥାନ୍ତୁ। ଅବଶ୍ୟ ଦେବଦାସୀ ପ୍ରଥା ୧୯୯୩ରୁ ଉଚ୍ଛେଦ କରାଯାଇଛି । ଅନ୍ୟ ସବୁ ନୀତି ସେବାୟତଙ୍କ ଦ୍ବାରା ନିର୍ବାହହୋଇଥାଏ। ପୁଣି ମାଆ ଇନ୍ଦ୍ର ଦେବତାଙ୍କୁ ଘୋର ବର୍ଷା କରିବାକୁ ଆଦେଶ ଦେଇଥାନ୍ତି । ଜଗନ୍ନାଥ ଭିଜି ଯାଆନ୍ତି ନବଘନର ଛୁଆଁରେ। ହାତରେ ପ୍ରାଣପ୍ରିୟା ପତ୍ନୀପାଇଁ ରସଗୋଲା, ଅଳଙ୍କାର, ବସ୍ତ୍ର ଧରି ମନେଇବାର ପ୍ରୟାସ କରିଥାନ୍ତି । କିଛି ସମୟର ଳିଳା ଖେଳା ପରେ ମା ସିଂହଦ୍ୱାରକୁ ଫିଟାଇ ଦିଅନ୍ତି। ସ୍ୱତ୍ୱଲିପିର ଅଛି ଯେ ସେଠାରେ ଅର୍ଥାତ୍ ସିଂହଦ୍ୱାରଠାରେ କୌଣସି ବଚନିକା ହୋଇ ନଥାଏ। ବଚନିକା ହୁଏ ଶ୍ରୀମନ୍ଦିର ଭିତରେ, ଜୟବିଜୟ ଦ୍ୱାରଠାରେ ଦ୍ବାର ସେପଟେ ମା ଲକ୍ଷ୍ମୀ ଦ୍ବାର ଏପଟେ ପ୍ରଭୁ ନଟବର ନାଗର। ଭିତରଛ ମହାପାତ୍ର ଲକ୍ଷ୍ମୀ ଙ୍କ ତରଫରୁ ମଧ୍ୟସ୍ତତା କରନ୍ତି ଯାହାକୁ ଲକ୍ଷ୍ମୀ ନାରାୟଣ ବଚନିକା ବୋଲି କୁହନ୍ତି ।ଏସବୁ ବଚନିକା ସଂସ୍କୃତ ଭାଷାରେ ହୁଏ ।ସେହି ସମୟରେ ମୃଦଙ୍ଗ ଘଣ୍ଟା ,ଘଣ୍ଟି ଶବ୍ଦର ନାଦ ପ୍ରକମ୍ପିତ ହୋଇଥାଏ ।ପ୍ରଭୁଙ୍କ ବଚନିକା ସାଧାରଣ ଲୋକଟି ଶୁଣିବା କଣ ଠିକ୍ ? ସେତ ସର୍ବ ଶକ୍ତିମାନ। ଦୁହିଁଙ୍କ ବଚସା ଅନ୍ତେ ,, ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ସହ ମନାଇଥାନ୍ତି ପରସ୍ପରଙ୍କ ମନୋମାଳିନ୍ୟ ବରଫ ପରି ତରଳି ଯାଇଥାଏ ଦୁହିଁଙ୍କ ଭିତରେ ଥିବା ଭବ୍ୟଲୀଳା ଜନମାନସରେ ହରିବୋଲ , ହୁଳହୁଳି ଶବ୍ଦ ରେ ଜୟଜୟାକାର ହୋଇ ଉଠେ। ଏ ସମୟର ଲୀଳା ଦୃଶ୍ୟ କରି ଦେହରେ ଶିହରଣ ସୃଷ୍ଟି ହୁଏ,, ନୟନରୁ ଭକ୍ତିଲୁହ ବୋହିଚାଲେ । ଏହାପରେ ଭିତରଛୁ ମହାପତ୍ରଙ୍କ ଦ୍ୱାରା ଋକ୍ମିଣୀ ବିବାହ ସମୟରେ ପଡିଥିବା ଗଇଁଠାଳ ଫିଟାଯାଇ ବନ୍ଦାପନା କରାଯାଏ । ମହାପାତ୍ରଙ୍କ ଦ୍ଵାରା ରସଗୋଲା ଭୋଗ ଭିତରକୁ ସମାହିତ ହୋଇଥାଏ । ଏହାପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି । ରସଗୋଲା ଭୋଗ ବର୍ତ୍ତମାନ ଶ୍ରୀମନ୍ଦିରରେ ପାଳିତ ନୀଳାଦ୍ରୀ ବିଜେ ନୀତି ସଂପର୍କରେ ପ୍ରାମାଣିକ ତଥ୍ୟ ହେଉଛି- ଶ୍ରୀମନ୍ଦିରର ଅଧିକାର ଅଭିଲେଖ ବା ସ୍ୱତ୍ୱଲିପି। ସେଥିରେ ନିର୍ଦ୍ଦିଷ୍ଟ ଭାବରେ ‘ରସଗୋଲା ଭୋଗ’ ର ଉଲ୍ଲେଖ ନଥିଲେ ମଧ୍ୟ, ଏହି ‘ଭୋଗ’ ଯେ ‘ରସଗୋଲା’ ତାହା ଅତି ସ୍ପଷ୍ଟ ଭାବରେ ସୂଚିତ ହୋଇଛି। ଅତୀତରେ ‘ନୀଳାଦ୍ରୀ ବିଜେ’ ନୀତି ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ହେଉଥିଲା। ତେଣୁ, ‘ଦ୍ୱାଦଶୀ ନୀଳାଦ୍ରୀ ବିଜେ’ ପ୍ରସଙ୍ଗରେ ଏହାର ବିଧି ବର୍ଣ୍ଣିତ ହୋଇଛି। ସେଥିରେ ଉଲ୍ଲେଖ ଅଛି- “ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଆସିଲାବେଳେ ପ୍ରତ୍ୟେକ ଠାକୁରଙ୍କୁ ଶୁଆ-ଶାରୀ ଦେଉଳଠାରେ ପତି ମହାପାତ୍ରେ ପ୍ରସାଦ ଲାଗି ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା କରନ୍ତି। ଜଗମୋହନଠାରେ ମଧ୍ୟ ସେହି ନୀତି ହୁଏ।” ସେହିପରି, ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ନୀତି ସଂପର୍କରେ ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି, “ଦ୍ୱାର ଫିଟି, ଠାକୁର ଭଣ୍ଡାରକୁ ମୁହଁ କରି ଭଣ୍ଡାରଦ୍ୱାରଠାରେ ବିଜେ କରିଥିବା ଲକ୍ଷ୍ମୀଙ୍କ ପାଖରେ ବିଜେ ହେଲେ, ରୁକ୍ମିଣୀ ବିବାହର ଗଇଣ୍ଠାଳ ଭିତରଛ ମହାପାତ୍ର ଫିଟାନ୍ତି। ବନ୍ଦାପନା ଓ ଭୋଗ ହୁଏ।ଘସା, ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରନ୍ତି।ସ୍ୱତ୍ୱଲିପିରେ ଲିପିବଦ୍ଧ ଏହି ନୀତିର ତାତ୍ପର୍ଯ୍ୟ ହେଉଛି- ରତ୍ନସିଂହାସନକୁ ବିଜେ ହେବାବେଳେ, ବଡ଼ଠାକୁର ଓ ଦେବୀ ସୁଭଦ୍ରାଙ୍କୁ କେବଳ “ପ୍ରସାଦ ଲାଗି ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା” ହେବା କଥା ଲିପିବଦ୍ଧ ଥିବାବେଳେ, ରତ୍ନସିଂହାସନକୁ ବିଜେ ହେବାବେଳେ ଶ୍ରୀଜଗନ୍ନାଥଙ୍କୁ “ବନ୍ଦାପନା ଓ ଭୋଗ” ଏବଂ “ପ୍ରସାଦ ଲାଗି ଘସା, ବିଡ଼ିଆ ମଣୋହି” ହେବା କଥା ଉଲ୍ଲେଖ ଅଛି। ଏଣୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅଧିକ ଭାବରେ ଉଲ୍ଲେଖ ଥିବା କଥାଟି ହେଉଛି “ଭୋଗ”। ପାରମ୍ପରିକ ଭାବରେ ଏହି ସମୟରେ “ରସଗୋଲା ଭୋଗ” ହେଉଥିବାରୁ ଏହି “ଭୋଗ” ଯେ “ରସଗୋଲା” ଏଥିରେ କୌଣସି ସନ୍ଦେହ ନାହିଁ। ଭିତରଛ ମହାପାତ୍ର ସେବକ, ନିଜ ଘରେ ସାତ୍ତ୍ୱିକ ଭାବରେ ପ୍ରସ୍ତୁତ କରି ଆଣିଥିବା ଏହି “ରସଗୋଲା ଭୋଗ” ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଅର୍ପିତ ହୋଇଥାଏ। ଶ୍ରୀମନ୍ଦିର ସ୍ୱତ୍ୱଲିପିର ‘ଭିତରଛ ସେବାର ନିୟମ’ ପ୍ରସଙ୍ଗରେ ମଧ୍ୟ ଏ ସଂପର୍କରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ଅଛି। ‘ନୀଳାଦ୍ରୀ ବିଜେ’ ଦିନର ‘ଭିତରଛ ସେବା’ର ବିବରଣୀରେ ଏ ପ୍ରସଙ୍ଗରେ କୁହାଯାଇଛି, ଏହି ସେବକ “ନୀଳାଦ୍ରୀ ବିଜେ ଦିନ ଭେଟମଣ୍ଡପଠାରେ ବନ୍ଦାପନା ଓ ମଣୋହି, ଗରୁଡ଼ଙ୍କ ବନ୍ଦାପନା, ଜଗନ୍ନାଥ ରଥରୁ ସିଂହାସନକୁ ବିଜେ କାଳେ ରୁକ୍ମିଣୀଙ୍କ ଗଇଣ୍ଠାଳ ଫିଟା ନୀତିରେ ଦହିପଟି, ଘସା, ବିଡ଼ିଆ ମଣୋହି ଓ ଭୋଗ” କରିଥାନ୍ତି। ଏଣୁ ଭିତରଛ ମହାପାତ୍ରଙ୍କ ଦ୍ୱାରା କରାଯାଉଥିବା “ରସଗୋଲା ଭୋଗ” ଯେ ସ୍ୱତ୍ୱଲିପିରେ ଉଲ୍ଲିଖିତ “ଭୋଗ”, ଏହା ଏଥିରୁ ପ୍ରମାଣିତ ହୁଏ। ତେବେ, ଏହି ବିବାହ ଗଇଣ୍ଠାଳ ଫିଟାବେଳେ, ପୁରୀର ରାଘବଦାସ ମଠ ପକ୍ଷରୁ ମଧ୍ୟ ସେଠାରେ ପାରମ୍ପରିକ ଭାବରେ ରସଗୋଲା ଭୋଗ କରାଯାଇଥାଏ। କିନ୍ତୁ ସମୟକ୍ରମେ, ଏହି ରସଗୋଲା ଭୋଗ ଭିତରଛ ମହାପାତ୍ରଙ୍କ ପକ୍ଷରୁ ଭଣ୍ଡାର ଘର ଠାରେ ହେବା ସହିତ ଭେଟମଣ୍ଡପଠାରେ ମଧ୍ୟ ହେଉଛି। ନୀଳାଦ୍ରୀ ବିଜେର ଏହି ପବିତ୍ର ଦିବସ ଅବସରରେ ସାରାଦିନ ତିନି ରଥରେ ଥିବା ଠାକୁରମାନଙ୍କୁ ମଧ୍ୟ, ଅଗଣିତ ଭକ୍ତ ରଥ ନିକଟରେ ରସଗୋଲା ଭୋଗ ନିବେଦନ କରିଥାଆନ୍ତି। ପୁରୀର ବିଭିନ୍ନ ମଠ ପକ୍ଷରୁ ମଧ୍ୟ ପରମ୍ପରାକ୍ରମେ ସେହିଦିନ ରଥାରୂଢ଼ ଦେବତାମାନଙ୍କୁ ରସଗୋଲା ନିବେଦିତ ହୋଇଥାଏ। ଏଣୁ ଏହି ରସଗୋଲା ଭୋଗ କେବଳ ‘ନୀଳାଦ୍ରୀ ବିଜେର ପ୍ରୀତି-ନୈବେଦ୍ୟ’ ନୁହେଁ; ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତିର ପ୍ରତୀକ ମଧ୍ୟ।ପ୍ରକୃତ ଅର୍ଥରେ କହିବାକୁ ଗଲେ “ନୀଳାଦ୍ରୀ ବିଜେ” ପ୍ରଭୁଙ୍କର ଔଦାର୍ଯ୍ୟଲୀଳା ମାଧୁର୍ଯ୍ୟ ଲୀଳା ,ଐଶ୍ୱର୍ଯ୍ୟ ଲୀଳା ଠାରୁ ବଳି ଉଚ୍ଚତର ଚେତନାର ଲୀଳା । Post navigation ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର ଆସନ୍ତାକାଲି ଭାରତ ବନ୍ଦ