ଓଡ଼ିଶା ଭାଜପା ଏବେ ଦିଲ୍ଲୀରେ। ଦିଲ୍ଲୀ ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ, ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତାଙ୍କ ସହ ଦିଲ୍ଲୀରେ ଏବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଲିଙ୍ଗ ପ୍ରମୁଖ । ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଚାଲିଥିବାବେଳେ ସବୁ ସାଂସଦମାନେ ଦିଲ୍ଲୀରେ । ଚାଲିଛି ଭେଟଘାଟରେ ପର୍ବ । ତେଣୁ ପ୍ରଶ୍ନ କିଛି ବଡ଼ ହେବାକୁ ଯାଉଛି କି ? ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଭିତରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଗସ୍ତ ଏବଂ ଗସ୍ତ ସମୟରେ ଘନ ଘନ ବୈଠକ, ବରିଷ୍ଠ ନେତାଙ୍କ ସହ ଭେଟଘାଟ ବିଭିନ୍ନ ଚର୍ଚ୍ଚାକୁ ଇନ୍ଧନ ଯୋଗାଉଛି । ବୁଧବାର କେନ୍ଦ୍ର ଭାରୀଶିଳ୍ପ ମନ୍ତ୍ରୀ ଏଚଡି କୁମାରସ୍ୱାମୀକୁ ଭେଟି ରାଜ୍ୟ ଇସ୍ପାତ କ୍ଷେତ୍ର ବିକାଶ, ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ସାକ୍ଷାତ କରି କେନ୍ଦ୍ର ଓ ରାଜ୍ୟ ସମନ୍ବୟ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟି ମହାନଦୀ ଜଳସମସ୍ୟା ଓ ସମାଧାନ ପ୍ରସଙ୍ଗରେ ମଧ୍ୟ ସେ ଆଲୋଚନା କରିଥିଲେ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ଏଫସିଆଇ ଦ୍ବାରା ମାସିକ ଚାଉଳ ଉଠାଣ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ । ଏହି ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଲୀ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ ସାକ୍ଷାତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ। ବୁଧବାର ଦିନ ତମାମ ଭେଟଘାଟ, ସୌଜନ୍ୟମୂଳକ ସାକ୍ଷାତକାର, ରୁଦ୍ଧଦ୍ୱାର ବୈଠକ, ବ୍ୟକ୍ତିଗତ ସାକ୍ଷାତକାର ଆଦି ଘଟଣା ସବୁ ସୂଚାଇ ଦେଉଛି ଯେ, କିଛି ବଡ଼ ହେବାକୁ ଯାଉଛି । ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନକୁ। Post navigation ଏକାଠି ହୋଇ ନାରୀଙ୍କୁ ସୁରକ୍ଷା ଦେବ ନାରୀ ନ୍ୟାୟ ବାହିନୀ ପୂର୍ବତନ ମନ୍ତ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନମୋହନ ସାମଲ