ବାଲେଶ୍ୱରର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ସାତଟି ରାଜନୈତିକ ଦଳ ଆଜି ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଜନ ଜୀବନ, ଯାନବାହାନ ଏବଂ ପ୍ରମୁଖ ସେବା ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଜାଗାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଯୋଗୁଁ ଗମନାଗମନ ଏକରକମ ଠପ୍ ହୋଇଯାଇଛି କହିଲେ ଚଳେ । କଂଗ୍ରେସ ସମେତ ୮ ରାଜନୈତିକ ଦଳ ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାର ଜନସାଧାରଣ, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଓ ସମାଜର ସମସ୍ତ ବର୍ଗଙ୍କୁ ଅନୁରୋଧ କରିଛନ୍ତି । ଢେଙ୍କାନାଳରେ କଂଗ୍ରେସ କର୍ମୀ ରେଳ ଷ୍ଟେସନରେ ଟ୍ରେନ ଅଟକାଇଛନ୍ତି । ସେଇଭଳି ବରଗଡ଼ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାନ୍ଧୀ ଛକ, ହଳଦିପାଲି ଛକ, ବିକାଶ ସ୍କୁଲ ଛକରେ ଜାତୀୟ ରାଜପଥ ଅବରୋଧ କରିଛି କଂଗ୍ରେସ । ଭଦ୍ରକରେ ରେଳ ଷ୍ଟେସନରେ ଟ୍ରେନ ରୋକିଛନ୍ତି କଂଗ୍ରେସ କର୍ମୀ । ସୂଚନା ଅନୁଯାୟୀ, କଂଗ୍ରେସ ର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କଟକରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ବିଧାନସଭା ଏବଂ ଲୋକସେବା ଭବନରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ରାସ୍ତାରେ ବସ୍, ଟ୍ରକ, ବାଇକ୍, ଅଟୋ କିମ୍ବା ଚାରିଚକିଆ ଗଡ଼ିବନି । ତେଣୁ ଗାଡି ଚଳାଚଳ ବାଧାପ୍ରାପ୍ତ ରହିବ । ସେହିପରି ସ୍କୁଲ, କଲେଜ ଏବଂ ଦୋକାନ ବଜାର ଆଜି ବନ୍ଦ ରହିବ । ପେଟ୍ରୋଲ ପମ୍ପ ସକାଳ ୬:୦୦ରୁ ସଂଧ୍ୟା ୬:୦୦ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଜରୁରୀ ସେବା ଯେପରିକି ହସ୍ପିଟାଲ, ମେଡିସିନ ଦୋକାନ ଖୋଲା ରହିବ, ଆମ୍ବୁଲାନ୍ସ ସେବା, ବିମାନବନ୍ଦର ସେବା ବାଧାପ୍ରାପ୍ତ ହେବ ନାହିଁ । ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ଖୋଲା ରହିବ । ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ । Post navigation ଆସନ୍ତାକାଲି ସାରା ରାଜ୍ୟରେ ବନ୍ଦ ରହି ସବୁ ପେଟ୍ରୋଲ ପମ୍ପ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ କଂଗ୍ରେସର ବାଇକ୍ ରାଲି