ଆଉ ନାହାନ୍ତି ଓଡ଼ିଆ ସିନେମା ଜଗତର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ୬୬ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ପରିତ୍ୟାଗ କରିଛନ୍ତି ଉତ୍ତମ । ଗତ କିଛି ଦିନ ହେଲା ଲିଭର ସିରୋସିସ ରୋଗରେ ପୀଡିତ ଥିଲେ ଉତ୍ତମ ମହାନ୍ତି । ୧୩୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ ଉତ୍ତମ । ନିଜ ଅଭିନୟ ଦକ୍ଷତା ଓ ଜଣେ ଶାନ୍ତ ଓ ସରଳ ପ୍ରକୃତିର ଲୋକ ଭାବେ ସେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଥିଲେ । ସେ ଅନେକ ବଙ୍ଗଳା ଫିଲ୍ମ ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ନିଜର କଳା ଓ ଅଭିନୟ ପାଇଁ ସେ ବହୁତ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ । ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୁପରହିଟ ଥିଲେ । ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରି ଘର ସଂସାର କରିଥିଲେ । ସେମାନଙ୍କ ପୁଅ ବାବୁଶାନ ମଧ୍ୟ ଜଣେ ଅଭିନେତା ରୂପେ ପରିଚିତ । ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। Post navigation ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସତ୍ୟନଗର ଶ୍ମଶାନରେ ହେବ ଉତ୍ତମ ମହାନ୍ତିଙ୍କ ଶେଷ କୃତ୍ୟ