ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ୧୩ ସୁଦ୍ଧା ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଡିସେମ୍ବର ୨୦ ମତଦାନ କରାଯାଇ ଫଳାଫଳ ଘୋଷଣା ହେବ । ଏଥିରେ ଓଡ଼ିଶାର ଖାଲିଥିବା ଗୋଟିଏ ଆସନ ପାଇଁ ମତଦାନ ହେବ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣାରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ମତଦାନ ହେବ । ଓଡିଶାରେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ସେହି ଆସନ ଖାଲି ରହିଛି ।

ଅନ୍ୟପଟେ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ। ତେବେ କିଏ ରାଜ୍ୟସଭାକୁ ଯିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

 

ସୂଚନଯୋଗ୍ୟ; ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଗତ ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟାଏ ଆସନ ଖାଲି ପଡ଼ିଛି । ସେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ ।

Leave a Reply

Your email address will not be published. Required fields are marked *