ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ଅପରେସନ ସିନ୍ଦୂର ବାବଦ ଚର୍ଚ୍ଚାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଏବଂ ବିରୋଧୀଙ୍କ ଅଭିଯୋଗକୁ ଦୃଢ଼ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର କୌଣସି ଦେଶ ଭାରତକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଅଟକାଇ ନାହିଁ । ବିଶ୍ବର କୌଣସି ନେତା ଅପରେସନ ସିନ୍ଦୂର ବନ୍ଦ କରିବାକୁ କହି ନାହାଁନ୍ତି । ଅପରେସନ ସିନ୍ଦୂର ପାଇଁ ଦେଶକୁ ସମଗ୍ର ବିଶ୍ବର ସମର୍ଥନ ମିଳିଥିବାବେଳେ କଂଗ୍ରେସ କିନ୍ତୁ ଦେଶର ସୈନିକଙ୍କ ବୀରତ୍ୱ ସହିତ ଠିଆ ହୋଇପାରିଲା ନାହିଁ । ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ଉପରେ ଲୋକସଭାରେ ଚାଲିଥିବା ବିତର୍କରେ ସାମିଲ ହୋଇ ବିରୋଧୀ ଦଳର ପ୍ରଶ୍ନର ଉତ୍ତର ଦେଇ ଏହା କହିଥିଲେ ପ୍ରଧାନମନ୍ତ୍ରୀ । ଭାରତ ଦ୍ବାରା ପ୍ରତିଶୋଧ ନେବା ପରେ ପାକିସ୍ତାନୀ ବାୟୁସେନା ଘାଟିଗୁଡ଼ିକ ଏବେ ବି ଆଇସିୟୁରେ ଅଛନ୍ତି । ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡମାନେ ରାତି ଅନିଦ୍ରା ହେଉଛନ୍ତି। ଅପରେସନ ସିନ୍ଦୂର ଏବେବି ଜାରି ରହିଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିତର୍କବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଦମ୍ ଅଛି ତ ମୋଦୀ ଆମେରିକା ରାଷ୍ଟ୍ରପତି ଯୁଦ୍ଧବିରତି କରିଥିବା ନେଇ ମିଛ କହୁଛନ୍ତି ବୋଲି କହି ଦେଖାନ୍ତୁ । ମୋଦୀ ଯଦିଓ ସିଧାସଳଖ ଟ୍ରମ୍ପ ମିଛ କହୁଥିବା କହିନଥିଲେ, ସେ ବିଶ୍ଵର କୌଣସି ଦେଶ ଭାରତକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରୁ ବାଧା ଦେଇନାହାଁନ୍ତି କି କୌଣସି ନେତା ଅପରେସନ ସିନ୍ଦୂରକୁ ବନ୍ଦ କରିବାକୁ କହିନାହାନ୍ତି ବୋଲି କହିଥିଲେ। ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କୁ ଆକ୍ରମଣ ବନ୍ଦ କରିବାକୁ ଆକୂଳ ନିବେଦନ କରିଥିଲେ । ସେମାନେ ଆମ ଆକ୍ରମଣକୁ ଆଉ ସହ୍ୟ କରିପାରିବେନି, ଯୁଦ୍ଧ ବନ୍ଦ କରିବାକୁ କହି ଥିଲେ । ପାକିସ୍ତାନର ଅନୁରୋଧ ପରେ ଭାରତ ଯୁଦ୍ଧବିରାମ ପାଇଁ ରାଜି ହୋଇଥିଲା । କାରଣ ଆମର ରଣନୈତିକ ଲକ୍ଷ୍ୟ ଆମେ ହାସଲ କରିସାରିଥିଲୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାତିସଂଘରେ କେବଳ ତିନୋଟି ଦେଶ ପାକିସ୍ତାନ ସପକ୍ଷରେ କହିଥିଲେ ବୋଲି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଆମ ସୈନିକଙ୍କ ବୀରତ୍ବକୁ ସମର୍ଥନ କରିନଥିଲା ମୋଦୀ କହିଥିଲେ, ଭାରତକୁ ସମଗ୍ର ବିଶ୍ଵର ସମର୍ଥନ ମିଳିଥିଲା, କିନ୍ତୁ ଏହା ଦୂର୍ଭାଗ୍ୟଜନକ ଯେ କଂଗ୍ରେସ ଆମ ସୈନିକଙ୍କ ବୀରତ୍ବକୁ ସମର୍ଥନ କରି ନଥିଲା । କଂଗ୍ରେସ ନେତାମାନେ ରାଜନୈତିକ ଲାଭ ପାଇଁ ମୋତେ ଟାର୍ଗେଟ କରିଥିଲେ । କିନ୍ତୁ ସେମାନଙ୍କର ସଂକୀର୍ଥ ବୟାନ ଆମ ସାହସୀ ସୈନିକଙ୍କ ମନୋବଳକୁ ହ୍ରାସ କରିଥିଲା । ଭାରତ ପାକିସ୍ତାନର ପରମାଣୁ ଧମକକୁ ଉଜାଗର କରିଛି ଏବଂ ବିଶ୍ଵକୁ ଦେଖାଇଛି ଯେ ଆମେ ପରମାଣୁ ବ୍ଲାକମେଲ୍ ଆଗରେ ମୁଣ୍ଡ ନୂଆଁଇବୁ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସେ ଆହୁରି କହିଥିଲେ ଯେ ମୁଁ ଏଠାରେ ଭାରତର ପକ୍ଷ ଉପସ୍ଥାପନ କରିବା ଏବଂ ଯେଉଁ ମାନେ ଏହାକୁ ବୁଝିପାରୁନାହାଁନ୍ତି ସେମାନଙ୍କୁ ଆଇନା ଦେଖାଇବା ପାଇଁ ଛିଡା ହୋଇଛି । ମୁଁ କହିଥିଲି ଯେ ଆମେ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କୁ ଏପରି ଉପଯୁକ୍ତ ଶିକ୍ଷା ଦେବୁ ଯେ ଏହା ସେମାନଙ୍କ କଳ୍ପନା ବାହାରେ ହେବ । ସେ ଆହୁରି ମଧ୍ୟ କହିଥିଲେ, ଆମର ସଶସ୍ତ୍ର ବାହିନୀର କ୍ଷମତା ଉପରେ ଆମର ପୂର୍ଣ୍ଣ ବିଶ୍ଵାସ ଅଛି ଏବଂ ସେମାନଙ୍କୁ ଜବାବ ଦେବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । ସଶସ୍ତ୍ର ବାହିନୀ ସେମାନଙ୍କୁ ଏପରି ଶିକ୍ଷା ଦେଇଛି ଯେ ଆତଙ୍କବାଦର ମାଲିକ ଅନିଦ୍ରାରେ ରାତି କଟାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଅପରେସନ ସିନ୍ଦୁରରୁ ସିନ୍ଧୁ (ସିନ୍ଧୁ ଜଳ ଚୂକ୍ତି) ପର୍ଯ୍ୟନ୍ତ… ପାକିସ୍ତାନକୁ ସବୁଠି ଅପମାନିତ ହେବାକୁ ପଡିଛି । ପାକିସ୍ତାନ ଏବେ ଭଲ ଜାଣିଛି ଯେ ଏହାର ଯେକୌଣସି ଦୁଃସାହସ ପାଇଁ ତାକୁ ଭାରି ମୂଲ୍ୟ ଦେବାକୁ ପଢ଼ିବ । ପୂର୍ବରୁ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେତେବେଳେ ଆକ୍ରମଣର ମାଷ୍ଟରମାଇଣ୍ଡମାନେ ଜାଣିଥିଲେ ଯେ କିଛି ହେବ ନାହିଁ, କିନ୍ତୁ ଏବେ ସେମାନେ ଜାଣନ୍ତି ଯେ ଭାରତ ଏହାର ମୁହଁତୋଡ ଜବାବ ଦେ, ତଥା ସାମରିକ କାର୍ଯ୍ୟାନୁଷ୍ଠାନ ହେବ । ବିଶ୍ବ ଆତ୍ମନିର୍ଭରଶୀଳ ଭାରତର ଶକ୍ତି ଦେଖିଲା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତରେ ତିଆରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାମରିକ ଅଭିଯାନ ସମୟରେ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦର କ୍ଷମତାକୁ ଭଜାଗର କରିଥିଲା । ଅପରେସନ ସିନ୍ଦୂର ସମୟରେ ବିଶ୍ଵ ଆତ୍ମ ନିର୍ଭରଶୀଳ ଭାରତର ଶକ୍ତି ଦେଖିଥିଲା। ଏହି ପରିପ୍ରେକ୍ଷୀରେ ମୋଦୀ କହିଥିଲେ, ଆମେ ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୨୨ ମିନିଟ୍ ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ବଂସ କରିଦେଇଥିଲୁ। ପହଲଗାମ ଆକ୍ରମଣ ଭାରତରେ ଦଙ୍ଗା ସୃଷ୍ଟି କରିବାର ଏକ ଷଡଯନ୍ତ୍ର ଥିଲା । ହେଲେ ଦେଶର ଏକତା ସେହି ପ୍ରୟାସକୁ ବିଫଳ କରିଦେଇଥୁଲା ବୋଲି ମୋଦୀ ଏହି ଅବସରରେ କହିଥିଲେ । ପାକିସ୍ତାନ ଭାରତର କାର୍ଯ୍ୟାନୁଷ୍ଠାନ ଜାଣିପାରିଥିଲା ଏବଂ ପରମାଣୁ ଆକ୍ରମଣ ଧମକ ଦେବା ଆରମ୍ଭ କରିଦେଇଥିଲା । ହେଲେ ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଆକ୍ରମଣ ହେବା ପରେ ବି କିଛି କରିପାରିନଥିଲା। ଆଜି ପାକିସ୍ତାନ ମଧ୍ୟ ଭଲ ଭାବରେ ବୁଝିସାରିଛି ଯେ ଭାରତର ପ୍ରତ୍ୟେକ ଜବାବ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ । ଭବିଷ୍ୟତରେ ଆବଶ୍ୟକତା ପଡ଼ିଲେ, ଭାରତ କିଛି ମଧ୍ୟ କରିପାରିବ । ସେଥିପାଇଁ ମୁଁ ଗଣତନ୍ତ୍ରର ଏହି ମନ୍ଦିରରେ ପୂଣି ଥରେ ଦୋହରାଇବାକୁ ଚାହୁଁଛି ଯେ ଅପରେସନ ସିନ୍ଦୂର ଜାରି ରହିଛି । Post navigation ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯୁବକ ଭାରତ ଉପରେ ୨୫% ଟାରିଫ୍ ଲଗାଇଲା ଆମେରିକା