ଲୋକସଭାରେ ବୁଧବାର ରେଳ (ସଂଶୋଧନ) ବିଧେୟକ ପାରିତ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚର୍ଚ୍ଚାରେ ଜବାବ ଦେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କ‌ହିଛନ୍ତି ଯେ, ଅନେକ ସାଂସଦ ରେଳବାଇର ଘରୋଇକରଣକୁ ନେଇ ମିଛ କାହାଣୀ ପ୍ରଚାର କରିବାରେ ଲାଗିଛନ୍ତି। ହେଲେ ମୁଁ ଆଶ୍ବସ୍ତ କରିବାକୁ ଚାହେଁ ଯେ, ଏହି ନୂଆ ବିଧେୟକରେ ରେଳବାଇର ଘରୋଇକରଣ କିମ୍ବା କେନ୍ଦ୍ରୀକରଣ ହେବାର ପ୍ରଶ୍ନ ନାହିଁ ।

ଆଲୋଚନାରେ ଅଶ୍ବିନୀ କହିଛନ୍ତି ଯେ, ମୁଁ ସେହି ସାଂସଦମାନଙ୍କୁ ଅନୁରୋଧ କରୁଛି ଦେଶରେ ବିଭିନ୍ନ ପ୍ରସଙ୍ଗରେ ମିଛ କାହାଣୀର ପ୍ରଚାର ନକରନ୍ତୁ। ବିରୋଧୀଙ୍କୁ ଜବାବ ଦେଇ କହିଥିଲେ ଯେ, ଆପଣମାନେ ମଧ୍ଯ ସଂବିଧାନକୁ ନେଇ ଏକ ମିଛ ପ୍ରଚାର ଜାରି ରଖିଛନ୍ତି। ଅଶ୍ୱିନୀଙ୍କ ଏହି ମନ୍ତବ୍ୟକୁ ନେଇ କିଛି ସାଂସଦ ପାଟିତୁଣ୍ଡ କରିଥିଲେ। ହେଲେ ଏହା ଭିତରେ ଅଶ୍ବିନୀ ନୂଆ ବିଧେୟକ ସମ୍ପର୍କରେ ଏବଂ ସାଂସଦଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନର ଗୋଟି ଗୋଟି ଉତ୍ତର ରଖିଥିଲେ । କହିଥିଲେ ଯେ, ଦେଶରେ ପ୍ରତିରକ୍ଷା ଏବଂ ରେଳବାଇ ଏପରି ଦୁଇ ସେକ୍ଟର ଅଟେ ଯେଉଁ କ୍ଷେତ୍ର ରାଜନୀତି କରଣରୁ ବଢି ବା ଦରକାର। ରେଳବାଇର ସମ୍ପୂର୍ଣ ଫୋକସ ଗରିବ ଏବଂ ମଧ୍ୟମ ଆୟ ବର୍ଗର ଲୋକଙ୍କ ପାଇଁ ରହିଛି। ବାତାନୁକୂଳ ଏବଂ ଅଣବାତାନୁକୂଳ କୋଚ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇଛି। ଯେତେବେଳେ ଜେନେରାଲ କୋଚର ଦାବି ଉଠୁଛି ସେତେବେଳେ ନୂଆ କୋଚ ଲାଗୁଛି ଗାଡ଼ିରେ । ପ୍ରତି ଟ୍ରେନରେ ଯେପରି ଅଧିକରୁ ଅଧିକ ଜେନେରାଲ କୋଚ ଲାଗି ପାରିବ ସେଥି ପ୍ରତି ଦୃଷ୍ଟି ଦିଆଯାଉଛି।

ରେଳମନ୍ତ୍ରୀ କହିଥିଲେ ଯେ, ଅମୃତ ଭାରତ ଟ୍ରେନ ସମ୍ପୂର୍ଣ ଭାବେ ନନ୍ ଏସି । ଏଥିରେ ୧୦ ସ୍ଲିପର ଏବଂ ୧୦ ଜେନେରାଲ କୋଚ  ଥିଲାବେଳେ ଏହି ଟ୍ରେନରେ ବନ୍ଦେ ଭାରତରେ ଥିବା ଟେକ୍ନୋଲୋଜିର ଉପଯୋଗ ହୋଇଛି। ଆଗକୁ ଆହୁରି ୫୦ଟି ଏଭଳି ଟ୍ରେନ ଲୋକଙ୍କ ସେବାରେ ଆସିବ। ଯାତ୍ରୀଙ୍କ ସୁବିଧା ପାଇଁ ଲଙ୍ଗ୍ ରୂଟ୍‌ରେ ମଧ୍ୟ ସଟଲ୍ ଟ୍ରେନର ବ୍ୟବହାର କରାଯାଉଛି । ବର୍ତମାନ ସୁଦ୍ଧା ମେମୁ ଟ୍ରେନ ପାଇଁ ମଧ୍ୟ ୬୦୦ କୋଚ ବନିସାରିଲାଣି। ପ୍ରତିଟି ଶ୍ରେଣୀର ଲୋକଙ୍କ ପାଇଁ ରେଳବାଇ ବିଶେଷ ଦୃଷ୍ଟି ଦେଉଛି। ମୁଁ ପୁଣି ଥରେ ସମସ୍ତଙ୍କୁ ଆଶ୍ବସ୍ତ କରିବାକୁ ଚାହେଁ ଯେ, ସରକାର ରେଳବାଇର ଘରୋଇକରଣ କରୁ ନାହାନ୍ତି କି ଏହାର କେନ୍ଦ୍ରୀକରଣ ଉପରେ ମଧ୍ଯ ନଜର ରଖୁନାହାନ୍ତି। ଗୋଟିଏ ଫୋକସ ବିଶ୍ୱର ଏହି ସର୍ବବୃହତ ନେଟୱର୍କକୁ ଅଧିକରୁ ଅଧିକ ମଜଭୁତ କରିବା ଏବଂ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ବ ଦେବା।

Leave a Reply

Your email address will not be published. Required fields are marked *