ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି। ।

 

ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ।

ତେବେ ଆଜିଠୁ ଏହି ଆଇନ ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ ଏଫ୍‌ଆଇର ବା ମାମଲା ଦିଲ୍ଲୀରେ ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ୍‌ ଥାନାରେ ଜଣେ ଭେଣ୍ଡରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏକ ଫୁଟ୍‌ ଓଭରବ୍ରିଜ ଅବରୋଧକୁ ନେଇ ଏହି ମାମଲା ରୁଜୁ ହୋଇଛି।

ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍‌ ଜଣେ ବ୍ୟକ୍ତି ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍‌ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକରଣ କରିଥିଲା।

ପୋଲିସ ତାଙ୍କ ନାମ ଏବଂ ଠିକଣା ପଚାରି ନୂତନ ଆଇନ ବିଏନ୍‌ଏସ୍‌ର ଧାରା ୨୮୫ ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା। ଏହି ନିୟମ ଅନୁଯାୟୀ ଏହା ପ୍ରଥମ ଏଫ୍‌ଆଇଆର୍‌।

Leave a Reply

Your email address will not be published. Required fields are marked *