ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କିଛିବର୍ଷ ହେଲା ଦୁର୍ଗାପୂଜା ସମୟରେ ମଣ୍ଡପ ବୁଲିବା ଭୁଲି ଯାଇଥିଲେ। ଦୁର୍ଗାପୂଜା ଛୁଟିରେ ପ୍ରାୟତଃ ସେ ଛୁଟି କଟାଇବା ପାଇଁ ଯାଉଥିଲେ ଦିଲ୍ଲୀ। କରୋନା କାଳ ପରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁନଥିଲେ । ନବୀନ ନିବାସ ଗେଟ୍ କେବଳ ଜଣେ ଦୂଇଜଣଙ୍କ ଲାଗି ଖୋଲା ରହୁଥିଲା । କିନ୍ତୁ ଏଥର ଗଣେଶପୂଜା ଓ ଦୂର୍ଗାପୂଜାରେ ନବୀନ ମଣ୍ଡପ ବୁଲିଲେ କାହିଁକି ?

ଲୋକୋ

ଯଦି ଆଗରୁ ବୁଲୁଥା’ନ୍ତେ, ତେବେ ଆଜି ତାଙ୍କ ବୁଲିବାକୁ ନେଇ ଚର୍ଚ୍ଚା ହୋଇନ‌ଥାନ୍ତା । ଯଦି ଆଗରୁ ଲୋକଙ୍କ ସହ କୌଣସି ନା କୌଣସି ବାହାନାରେ ଯୋଡି ହେବା ପାଇଁ ଚେଷ୍ଟା କରିଥା’ନ୍ତେ ନବୀନ, ତେବେ ଚିତ୍ର ଭିନ୍ନ ହୋଇଥା’ନ୍ତା । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଣ୍ଡପ ବୁଲାରୁ ଏକ ରାଜନୈତିକ ଗନ୍ଧ ବାହାରୁ ନଥା’ନ୍ତା ।

ମୋହନ ପ୍ରଥମଥର ମୁଖ୍ୟମନ୍ତ୍ରୀ । ତେଣୁ ସେ ଭୁବନେଶ୍ବର, କଟକ ଏବଂ କେନ୍ଦୁଝରରେ ଦୂର୍ଗାମଣ୍ଡପ ବୁଲିଲେ। ଲୋକଙ୍କ ସହ ମିଶିଲେ । ତେଣୁ ତାଙ୍କ ମଣ୍ଡପ ବୁଲା ବିଶେଷ କୌତୁହଳ ସୃଷ୍ଟି କଲାନାହିଁ । କଟକରେ ତାଙ୍କୁ ଦେଖିବା ପାଇଁ ବେଶ ଭିଡ଼ ଜମିବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା। ହେଲେ ନବୀନ କେବଳ ଭୁବନେଶ୍ୱରରେ ମଣ୍ଡପ ବୁଲିବା ଅଧୂକ କୌତୂହଳ ସୃଷ୍ଟି କଲା। ଏହା ଯେ ସମ୍ପୂର୍ଣ ରାଜନୈତିକ ତାହା ବିଜୁ ଜନତା ଦଳର କିଛି ନେତା ଓ ନେତ୍ରୀଙ୍କ ମନ୍ତବ୍ୟ ପ୍ରମାଣିତ କରିଦେଲା।

ଯଦି ନିର୍ବାଚନ ପ୍ରଚାରବେଳେ କିମ୍ବା ଜନଶୁଣାଣି ନାଁରେ ରାଜ୍ୟ ବୁଲିଥାନ୍ତେ ନବୀନ ତେବେ ମୋହନଙ୍କ ବଦଳରେ ସେ ହିଁ କେବଳ ମଣ୍ଡପ ବୁଲିଥାନ୍ତି। ସବୁକିଛି ହରାଇବା ପରେ ବିଜଦ ଦଳ ଏବେ ନବୀନଙ୍କ କ୍ରେଜ ସାହାରାରେ କେତେଦିନ କାଟିବ ?

 

Leave a Reply

Your email address will not be published. Required fields are marked *