ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ । ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କଲେ ନବୀନ ପଟ୍ଟନାୟକ ।

ଏନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ନବୀନ ଲେଖିଛନ୍ତି ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି।

ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ୱସନୀୟତା ହରାଉଛି ସରକାର। ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ?

ନବୀନ ପଟ୍ଟନାୟକ କହିଛନ୍ତି ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ।

ସୂଚନା ଅନୁଯାୟୀ; ଧଉଳି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ଜଣେ ତାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ।

ନାବାଳିକା ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। ଏହା ସହ ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *