ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ମୋ ସରକାର ନିରପେକ୍ଷତାର ସହ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶଃ କରିଛନ୍ତି। ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନିରପେକ୍ଷ ଓ ସ୍ଵଛ ଭାବରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ସୁନିଶ୍ଚିତ ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ମଧ୍ୟ ପୂରଣ ହେବ।

ସେହିପରି ଓଡ଼ିଆ ଅସ୍ମିତା ଭବନ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଓଡ଼ିଆ ଅନୁବାଦ ଏକାଡେମୀ, ପାଇକ ବିଦ୍ରୋହ ସ୍ମାରକୀର ବିକାଶ ହେବ। ଏଥିପାଇଁ ମୋ ସରକାର ଏକ କର୍ପସ ଫଣ୍ଡ ଗଠନ କରିବ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ। କେବଳ ଏତିକି ନୁହେଁ, ଜାତୀୟ ଶିକ୍ଷାନୀତି ସହିତ ସଂଯୁକ୍ତ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ ହେବ। ଓଡ଼ିଆରେ ଆଇନ, ଡାକ୍ତରୀ, ଇଂଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ ହେବ।ଜାତୀୟ ଶିକ୍ଷାନୀତି ଅନୁଯାୟୀ ଷଷ୍ଠ ଶ୍ରେଣୀରୁ କୋଚିଂ କ୍ଲାସ ଆରମ୍ଭ ହେବ ।

ରାଜ୍ୟରେ ଆଦିବାସୀ ଭାଷା ସଂରକ୍ଷଣ ନେଇ କାର୍ଯ୍ୟ କରାଯିବ । ଆଦିବାସୀ ଛାତ୍ରଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଲାଇବ୍ରେରୀ ଅନ୍‌ ହ୍ୱିଲ୍‌ସର ଆରମ୍ଭ କରାଯିବ। ବନଜାଚ ଦ୍ରବ୍ୟର ବିକ୍ରୟ ପାଇଁ ଆଦିବାସୀ ପଞ୍ଚାୟତରେ ହାଟଗୁଡ଼ିକର ଉନ୍ନତିକରଣ ହେବ।

ଏଥିସହ ନୂତନ କ୍ରୀଡ଼ାନୀତି ଆରମ୍ଭ ହେବ। ମୋ ସରକାର ଏକ ନୂତନ କ୍ରୀଡ଼ା ନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଗ୍ରାମାଞ୍ଚଳରେ କ୍ରୀଡ଼ା ପରିବେଶ ସୃଷ୍ଟି ପାଇଁ ଭିତ୍ତିଭୂମି ଉପରେ ଦୃଷ୍ଟି ଦିଆଯିବ। କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ପାଇଁ କ୍ରୀଡ଼ା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା ହେବ। ୮ରୁ ୧୭ ବର୍ଷ ବୟସର ଆଥଲେଟଙ୍କୁ ପ୍ରଶିକ୍ଷଣ ଦେବାକୁ ଏକାଡେମୀ ପ୍ରତିଷ୍ଠା ହେବ। ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷକ ଓ ଅମ୍ପାୟାର ଭାବେ ବୃତ୍ତିର ସୁଯୋଗ ମିଳିବ।

By Nirvay

Leave a Reply

Your email address will not be published. Required fields are marked *