ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜଭବନରେ ଭେଟିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭାମପାଟିଙ୍କୁ । ସୋମବାର ସଂସ୍କରଣରେ ‘ରାଜ୍ୟପାଳଙ୍କୁ ସମୟ ମାଗିଲେ ମୁଖ୍ୟମନ୍ତ୍ରୀ, ହୋଇପାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଶୀର୍ଷକ ଖବର ନିର୍ଭୟରେ ପ୍ରକାଶ ପାଇଥିଲା। ସୋମବାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ କରାଯାଇନାହିଁ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅନ୍ୟ ପ୍ରସଙ୍ଗ ସହ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ଆଲୋଚନା ହୋଇଥିଲା। ଏବେ ଅପେକ୍ଷା କେବେ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ଭୟକୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର କିମ୍ବା ବୁଧବାର ଦିଲ୍ଲୀ ଯାଇପାରନ୍ତି । ଯଦି ଏହା ସତ ହୁଏ ତେବେ ସୋମବାର ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା କରିଥିବା ଏକପ୍ରକାର ସ୍ପଷ୍ଟ। ଆଉ ଦିଲ୍ଲୀ ଯିବାର କାରଣ ହୋଇପାରେ ସଂପ୍ରସାରଣ ଚିଠା ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ମୋହର ମାରିବା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଏବଂ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଥିଲେ ଏବଂ ଏକାଠି ଦିଲ୍ଲୀରୁ ଫେରିଥିଲେ । ଯେହେତୁ ପୂର୍ବରୁ ଉଭୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମ୍ପର୍କରେ ସଂକେତ ଦେଇଥିଲେ ସେଇ କାରଣରୁ ଉଭୟଙ୍କ ଦିଲ୍ଲୀ ଗସ୍ତ ସଂପ୍ରସାରଣ ପ୍ରସଙ୍ଗଙ୍କୁ ଚର୍ଚ୍ଚାକୁ ଆଣିଥିଲା। ଆଉ ଏହା ଭିତରେ ରାଜ୍ୟପାଳଙ୍କୁ ଭେଟିବା, ଏକ ଘଣ୍ଟା ଧରି ଆଲୋଚନା ହେବା ଚର୍ଚ୍ଚାକୁ ବଳ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି। ସାଧାରଣତଃ ରାଜ୍ୟରେ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଘଟିଲେ ମୁଖ୍ୟମନ୍ତ୍ରୀ ଭେଟିଥାନ୍ତି ରାଜ୍ୟପାଳଙ୍କୁ । ବର୍ତ୍ତମାନ ବାଲେଶ୍ଵର ଏବଂ ବଳଙ୍ଗା ଘଟଣା ଚର୍ଚ୍ଚାରେ ରହିଛି । ତେଣୁ ଏହି ପ୍ରସଙ୍ଗରେ ସୋମବାର ସନ୍ଧ୍ୟାରେ ଆଲୋଚନା ମଧ୍ୟ ହୋଇଥାଇପାରେ । ଆଗକୁ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ତେଣୁ ଏହି ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପାଇଁ ନେତୃତ୍ୱ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି। ଏବେ ବଡ଼ ପ୍ରଶ୍ନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ କେବେ ? ଗୋଟିଏ ସୂତ୍ରର ସୂଚନା ଅନୁସାରେ ୨୪ ତାରିଖ ଦିନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଘୋଷଣା ହୋଇପାରେ। ତେବେ ଏହା ନିର୍ଭର କରୁଛି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଉପରେ। ଅନ୍ୟ ଏକ ସୂତ୍ରର ସୂଚନା ଅନୁସାରେ ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ମାସ ଶେଷ ପରେ ହୋଇପାରେ ସଂପ୍ରସାରଣ ଘୋଷଣା। Post navigation ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ