ଆଦିବାସୀ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆକ୍ସନ ମୋଡ଼କୁ ଆସିଛି ମୋହନ ସରକାର। ସେମାନଙ୍କ ହିତ ସାଧନ ଓ ଉନ୍ନତି ହେବ ସରକାରର ପ୍ରାଥମିକତା। ଏଥିପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ। କାରଣ ପଛୁଆ ବର୍ଗଙ୍କ ଉନ୍ନତି ହେଲେ ହିଁ ରାଜ୍ୟର ସାମଗ୍ରିକ ବିକାଶ ହେବ। ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହରେ ଉଦ୍‌ବୋଧନ ଦେଇଛନ୍ତି।

ଆଦିବାସୀଙ୍କ ଆଜି ଭାରତବର୍ଷର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆମ ଭିତରୁ ଜଣେ। ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣମାନଙ୍କ ମଧ୍ୟରୁ ଜଣେ। ଆମେ ସମସ୍ତେ ଏକ ନିର୍ଦ୍ଦିଷ୍ଟ ବର୍ଗରୁ ଆସି ଦେଶ ଓ ରାଜ୍ୟ ପାଇଁ କାମ କରୁଛୁ। ପଦ ପଦବୀରେ ନଥିଲେ ମଧ୍ୟ ଇଚ୍ଛାଶକ୍ତି ବଳରେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା। ଆମେ ଯଦି ବିକାଶରେ ସମାନତା ଆଣିପାରିବା ତେବେ ଯାଇ ବିକଶିତ ଭାରତ ଗଠନ ହୋଇପାରିବ।

କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀ ଧନଞ୍ଜୟ ହେମ୍ବ୍ରମ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ସମେତ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ପ୍ରାୟ ୨୩ ଜଣ ବିଧାୟକଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ସମସ୍ତେ ସମର୍ପିତ। ଓଡିଶାର ବିକାଶ ପାଇଁ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତି ସପ୍ତାହରେ ଆମ କ୍ୟାବିନେଟ୍ ବୈଠକ ବସୁଛି। ସାମଗ୍ରିକ ଭାବେ ଓଡିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡିବ। ସମ୍ବିଧାନରେ ଆମ ସମସ୍ତଙ୍କ ପାଇଁ ସମାନ ଅଧିକାରର ବ୍ୟବସ୍ଥା କରିଛନ୍ତି ବାବା ସାହେବ ଭିମରାଓ ଆମ୍ବେଦକର। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସର୍ବାଙ୍ଗୀନ ଉନ୍ନତି ସହିତ ଅନୁନ୍ନତ ଓ ପଛୁଆ ଭାବେ ଯେଉଁମାନେ ସମାଜରେ ତଳସ୍ତରରେ ରହିଯାଇଛନ୍ତି ସେମାନଙ୍କ ହାତ ଧରି ଆମକୁ ଆଗକୁ ବଢେଇବାକୁ ପଡିବ। ଆଜି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ସେମାନଙ୍କର ହକ୍‌ ଧିରେ ଧିରେ ମିଳୁଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡିକ ନିରନ୍ତର ଭାବେ କାମ କରୁଛି। ସେମାନଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସ୍କୁଲ ଓ ହଷ୍ଟେଲ କାର୍ଯ୍ୟକ୍ଷମ ଅଛି। ଅଧାରୁ ପାଠ ନ ଛାଡିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରାଯାଉଛି।

ଆମ ସମାଜରେ ଥିବା ଆଦିମ ଜନଜାତି ବର୍ଗ (PVTG) ଙ୍କୁ ଆମକୁ ଏହି ବିକାଶ ଯାତ୍ରାରେ ସାମିଲ କରିବାକୁ ପଡିବ। ଆମ ପ୍ରଧାନମନ୍ତ୍ରୀ ଆଦିମ ଜନଜାତିଙ୍କୁ ଉଚିତ ଅଧିକାର ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ କରିଛନ୍ତି ପି.ଏମ୍. ବନ୍‌ ଧନ୍‌ ଯୋଜନା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ଅଭିଯାନ ସବୁ ବର୍ଗଙ୍କ ବିକାଶକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି । ଆମେ ସମସ୍ତେ ଯଦି ଏହି ଅଭିଯାନରେ ନିଜକୁ ସାମିଲ କଲେ ଦେଶ ଓ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିବା ସହିତ ସବୁ ବର୍ଗର ବିକାଶ ହେବ। ଆଗକୁ ବଢିବାରେ ଆମ ସମ୍ବିଧାନରେ ଆମ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। ଆମ ପାଖରେ ଆଗକୁ ବଢିବାର ସୁଯୋଗ ଅଛି ।

ଏହି ପରିଷଦର ସଦସ୍ୟ ଥିବା ଆମ ରାଜ୍ୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ ପର୍ଯ୍ୟନ୍ତ ହଜାର ହଜାର କର୍ମଚାରୀ ଓ ଅଧିକାରୀ ସମଗ୍ର ରାଜ୍ୟବାସୀ ବିଶେଷକରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କର ହିତ ସାଧନରେ ବ୍ରତୀ ଅଛନ୍ତି। ଓଡିଶାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ଘଟାଇ ସେମାନଙ୍କୁ ଉଚ୍ଚ ବର୍ଗର ଲୋକଙ୍କ ସହିତ ସାମିଲ କରିବାର ଦାୟିତ୍ୱ ଆମ ସମସ୍ତଙ୍କର।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ। ଶପଥ ନେବାର ଘଣ୍ଟାଏ ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନେଲୁ ଓ ପରଦିନ ଖୋଲିଲୁ। ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ଯାହା ୪୬ ବର୍ଷ ଧରି ହୋଇପାରୁନଥିଲା, ତାହା କରିପାରିଲୁ, ରତ୍ନ ଭଣ୍ଡାର ଖୋଲିଲୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସାଧାରଣ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କଲୁ। ଯଦି ଇଚ୍ଛାଶକ୍ତି ନାହିଁ, କୌଣସି କାମ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ଯୋଗଦେଇ କହିଥିଲେ ଯେ ନେତୃତ୍ୱ ଏକ କ୍ଷମତା ନୁହଁ, ଏହା ଏକ କର୍ତ୍ତବ୍ୟ। ଏହା ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଆଜି ଓଡିଶାରେ ଲୋକଙ୍କ ସରକାର ଗଠନ ହୋଇଛି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି।

ଅନ୍ୟତମ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେଇ କହିଥିଲେ ଯେ ଓଡିଶା ସରକାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାମ କରୁଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମୋହନ ମାଝୀ ସରକାର ସାମାଜିକ ଦାୟିତ୍ୱବୋଧତାର ସହ କାମ କରୁଛନ୍ତି ଓ କରିବେ। ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡିଶାକୁ ଆଗକୁ ନେବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ଆମ ସମସ୍ତଙ୍କର ସେଥିଲେ ଭାଗିଦାରୀ ଅଛି।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଆମ ପାଖରେ ଯେଉଁ ଦାୟିତ୍ୱ ଅଛି, ଯେଉଁ ଯୋଜନା ଅଛି ସେଗୁଡିକ କିପରି ସମାଜର ତଳସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ ସେ ଦାୟିତ୍ୱ ଆମର। ଯଦି ଆମେ ସମସ୍ତେ ନିଜ ନିଜ ସ୍ତରରେ ଠିକ୍ ଭାବେ କାମ କରିବା ତେବେ ବିକାଶ ସହିତ ସମସ୍ତଙ୍କ କଲ୍ୟାଣ ସାଧନ ହେବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ମୋହନ ମାଝୀ ସରକାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ବିକାଶ ପାଇଁ ପ୍ରତିଶୃତିବଦ୍ଧ। ୫ ବର୍ଷରେ ଓଡିଶାକୁ ଦାଦନମୁକ୍ତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ।

Leave a Reply

Your email address will not be published. Required fields are marked *