କ୍ରାଇମବ୍ରାଞ୍ଚ୍ ନୁହେଁ, ସିବିଆଇ ତଦନ୍ତ ଜରୁରୀ। ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିବା ଏବଂ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯିବା ପରଠାରୁ ହିଁ ‘ନିର୍ଭୟ’ ଏବଂ ‘ନିର୍ଭୟ ଗୁମର କଥା’ ବାରମ୍ବାର କହି ଆସିଛି ଏହାର ଚେର ଦଲାଲଙ୍କ ପାଖେ ନାହିଁ, ମାଷ୍ଟର ମାଇଣ୍ଡ ହେଉଛନ୍ତି ପୁଲିସ ବଡ଼ବାବୁ । ତେଣୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କ ପାଖରେ ପହଞ୍ଚିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତ ଜରୁରୀ । ବିଳମ୍ବରେ ହେଲେ ମଧ୍ୟ ଏହି ଦୁର୍ନୀତିର ପର୍ଦ୍ଦଫାଶ ନେଇ ମୋହନ ସରକାର ନେଉଛନ୍ତି ବଡ଼ ନିଷ୍ପତ୍ତି। ଏହାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଷ୍ପତ୍ତି ନେବା ସ୍ବାଗତଯୋଗ୍ୟ ।

ବହୁ ଚର୍ଚ୍ଚିତ ପୁଲିସ ସବଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡ଼ିଶାରେ ପୁଲିସ ସବଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆସିଥିଲା । ଏହାର ତଦନ୍ତ ଭାର କ୍ରାଇମବାଞ୍ଚକୁ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ସହିତ ଅନ୍ୟ ରାଜ୍ୟକୁ ବ୍ୟାପିଛି । ଏହାସହିତ ଏହି ଦୁର୍ନୀତି ପଛରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଦୂର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦଫାଶ କରିବା ପାଇଁ ଏବଂ ଏଥିରେ ଜଡିତ ସମସ୍ତ ଅପରାଧୀଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୁ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ଏହାଛଡ଼ା ପୁଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାର ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା ପାଇଁ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ ସିବିଆଇ ନିଯୁକ୍ତି ପୂର୍ବରୁ କେତେକ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନିଆଯିବା ଘଟଣା ଧରାପଡ଼ିବା ପରେ ଏହା ପଛରେ ଆନ୍ତଃରାଜ୍ୟ ଗୋଷ୍ଠୀ ଚକ୍ରାନ୍ତ କରୁଥିବା ସମ୍ଭାବନା ଉପରେ ସିବିଆଇ ତଦନ୍ତ କରି ପ୍ରକୃତ ରହସ୍ୟ ପଦାକୁ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave a Reply

Your email address will not be published. Required fields are marked *