ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର । ଆସନ୍ତା ୧୧ରେ ଭୁବନେଶ୍ୱର ପାଣ୍ଡରାରେ ଫିସ ମାର୍କେଟର ଶିଳାନ୍ୟାସ । VCରେ ଫିସ୍‌ ମାର୍କେଟ୍‌ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୬୦ କୋଟି ବ୍ୟୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ନିର୍ମାଣ ହେବ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ୫.୮୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପକୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମଞ୍ଜୁରି ମିଳିବ ପରେ ଏବେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ।

ଏହି ମାର୍କେଟକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବ, ଯେଉଁଥିରେ ବିଭିନ୍ନ କାର୍ଯ୍ୟ ପାଇଁ ଛଅଟି କୋଠା ଅନ୍ତର୍ଭୁକ୍ତ ରହିଛି। ବଜାରରେ ସୌରଚାଳିତ ସିଷ୍ଟମ, ବ୍ୟାଟେରୀ ଯାନ ଚାର୍ଜିଂ ଷ୍ଟେସନ ଏବଂ ପ୍ରକୃତ-ସମୟ ମୂଲ୍ୟ ପ୍ରଦର୍ଶନ ବୋର୍ଡ ମଧ୍ୟ ରହିବ। ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରାଥମିକତା ଦିଆଯିବ, ନିର୍ଗତ ପ୍ରକ୍ରିୟାକରଣ ଏବଂ ହାଇଡ୍ରୋଲାଇଜେଟ୍ ପ୍ଲାଣ୍ଟ ଦ୍ୱାରା ମାଛର ବର୍ଜ୍ୟବସ୍ତୁକୁ ଜୈବିକ ସାରରେ ପରିଣତ କରାଯିବ। ଟର୍ନକି ଭିତ୍ତିରେ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ମାଛ ମାର୍କେଟ୍‌ରେ ମାଛ ସଂରକ୍ଷଣ ପାଇଁ ବୃହତ୍ ଶୀତଳଭଣ୍ଡାର ରହିବ। ମାଛ ଭର୍ତ୍ତି ଟ୍ରକ୍ ସିଧାସଳଖ ଶୀତଳଭଣ୍ଡାର ଭିତରେ ପ୍ରବେଶ କରିବା ଓ ମାଛ ଖାଲିକରିବା ପାଇଁ ଏକାଧିକ ଦ୍ବାର ବି ରହିବ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ମାଛ ଟ୍ରକ୍ ସୁବିଧାରେ ପାର୍କିଂ କରିବାର ବ୍ୟବସ୍ଥା ବି କରାଯିବ। ଶୀତତାପ ନିୟନ୍ତ୍ରିତ ବିଶ୍ରାମ ଗୃହ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ରହିବ। ଉଭୟ ହୋଲ୍‌ସେଲର୍‌ ଓ ରିଟେଲର୍ ମାଛ ବେପାରୀମାନେ ଏଠାରେ ବେପାର କରିପାରିବାର ଭିତ୍ତିଭୂମି ପ୍ରସ୍ତୁତ ହେବ।

ସୂଚନା ଯୋଗ୍ୟ; ଉତ୍ତର ଭୁବନେଶ୍ବରର ପାଣ୍ଡରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ଆଲୋଚନା ହୋଇ ଆସୁଥିଲା। ୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ବର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସହମତି ପରେ ଏହି ପ୍ରକଳ୍ପ କେନ୍ଦ୍ରକୁ ଯାଇଥିଲା। ଏହାପରେ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

Leave a Reply

Your email address will not be published. Required fields are marked *