କ୍ୟାପିଟାଲ ହସ୍ପିଟାଲରେ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଭୁଲ ଇଞ୍ଜେକ୍ସନ ଦେବାରୁ ନାବାଳକର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁରରୁ ଆସିଥିବା ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଭୟଙ୍କର ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ମୃତକଙ୍କ ନାମ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳର କାଲୁପଡ଼ା ଗ୍ରାମର ସାଇ ବୋଲି ଚିହ୍ନଟ କରାଯାଇଛି।

ସାଇ ଗତକାଲି ସାଇକେଲ ଚଲାଉଥିବା ବେଳେ ସାଇକେଲରୁ ପଡ଼ି ଯାଇଥିଲେ । ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ଜୀବନ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏହା ପରେ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବସିଛନ୍ତି ପରିବାର ଲୋକେ। ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ କୌଣସି ପରିସ୍ଥିତିକୁ ରୋକିବା ପାଇଁ ତୁରନ୍ତ ପୋଲିସ ମୁତୟନ କରାଯାଇଥିଲା। ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

Leave a Reply

Your email address will not be published. Required fields are marked *