ଦି’ଦିନ ତଳେ ଭାଜପା ସଭାପତି ମନମୋହନ ସାମଲ ଫେରିଥିଲେ ଦିଲ୍ଲୀ। ଶନିବାର ନୂଆଁଖାଇ ଭେଟଘାଟ ଲାଗି ଯାଇଥିଲେ ସମ୍ବଲପୁର। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବି ଥିଲେ ସମ୍ବଲପୁରରେ। କିନ୍ତୁ ହଠାତ ଦିଲ୍ଲୀରୁ ଡାକରା ପାଇ ସଭାପତି ଗଲେ ଦିଲ୍ଲୀ । ଏହାକୁ ନେଇ ତମାମ ଚର୍ଚ୍ଚା ଭାଜପା ଭିତରେ। ନୂଆଦିଲ୍ଲୀରୁ ଫେରିବା ପରେ ମନମୋହନ କହିଥିଲେ ଯେ, କିଛି ବିଳମ୍ବ ହୋଇନାହିଁ । ଠିକ ସମୟରେ ହେବ ରାଜ୍ୟ କମିଟି ଏବଂ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ। ସମସ୍ତଙ୍କ ଜାଣତରେ ସବୁକିଛି ହେବ। ଆଲୋଚନା ଏକ ନିରନ୍ତର ପ୍ରକ୍ରିୟା। ସମସ୍ତେ ମନେକରିଥିଲେ ଯେ, ଗ୍ରହଣ ସପ୍ତାହ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଅନେକ କିଛି ଘଟଣା ଘଟିବ ଭାଜପାରେ। ମନମୋହନ ତାଙ୍କ କମିଟି ଘୋଷଣା କରିପାରନ୍ତି । ସରକାର ନିଗମ ଓ ବୋର୍ଡ ଅଧ୍ଯକ୍ଷରେ ରାଜନୈତିକ ନିଯୁକ୍ତି ଦେଇପାରନ୍ତି। ପରବର୍ତ୍ତୀକାଳରେ ବିଧାନସଭା ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କିଛି କାମ ଅଟକି ନାହିଁ । ତେବେ ହଠାତ ତରବରିଆ ଭାବେ ମନମୋହନ କାହିଁକି ଗଲେ ଦିଲ୍ଲୀ ? ଦିଲ୍ଲୀରୁ ଫେରିଥିଲେ ଶୁକ୍ରବାର। ଦିଲ୍ଲୀ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଅବଶ୍ୟ ମୁଖ୍ୟମନ୍ତ୍ରୀ ସେମିକମ କନକ୍ଲେଭରେ ଯୋଗ ଦେଇଥିଲେ। ତେବେ ମନମୋହନଙ୍କ ଦିଲ୍ଲୀ ଗସ୍ତ ବେଳେ ଦଳର ଶୀର୍ଷ ନେତାମାନଙ୍କ ସହ ସାଙ୍ଗଠନିକ ବ୍ୟାପାର ନେଇ ଆଲୋଚନା କରିଥିଲେ । ଏକ ସଂକେତ ମିଳୁଥିଲା ଯେ, ସଭାପତି ଦିଲ୍ଲୀରୁ ଫେରିବା ପରେ ଅନ୍ତତଃ ନିଜ କମିଟି ଘୋଷଣା କରିବେ। ପୁନର୍ବାର ଦିଲ୍ଲୀ ଗସ୍ତ ସୂଚାଇ ଦେଉଛି ଯେ, ତାଲିକାରେ କିଛି ଅଦଳବଦଳ ହେବ। ହାଇକମାଣ୍ଡ ବୋଧହୁଏ ଏହି ମର୍ମରେ ସଭାପତିଙ୍କ ସହ ଆଲୋଚନା କରିବେ। ଭାଜପାର କୌଣସି ବଡ଼ ନେତା କେଁ ପୁରାଇଥିବାରୁ ସାନି ଆଲୋଚନା ପାଇଁ ଡାକରା ପାଇଛନ୍ତି ମନମୋହନ। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧିକାର ବିଷୟ। ଏଥିରେ ସଭାପତିଙ୍କର କେବଳ ପରାମର୍ଶ ଏବଂ ସୁପାରିସ ରହିପାରେ। ଏଣୁ କମିଟି ଗଠନକୁ ନେଇ କିଛି ଜଟିଳତା ସୃଷ୍ଟି ହୋଇଛି ଏହି ଦୁଇଦିନ ଭିତରେ । ଦେଖାଯାଉ ସଂଶୋଧିତ ତାଲିକା ଧରି ମନମୋହନ କେବେ ଫେରୁଛନ୍ତି ? Post navigation ଅବସର କର୍ମଚାରୀଙ୍କ ପ୍ରତି କାହିଁକି ମେହେରବାନ୍ ସରକାର ? ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ