କୁମ୍ଭ ମେଳା ହିନ୍ଦୁ ସନାତନ ପରମ୍ପରା ଏବଂ ଭାରତୀୟ ସଂସ୍କୃତିର ଏକ ମହାନ ଧାର୍ମିକ ଉତ୍ସବ। ତୀର୍ଥରାଜ ପ୍ରୟାଗର ପବିତ୍ର ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ପବିତ୍ର ସଙ୍ଗମ କୂଳରେ ମହାକୁମ୍ଭ ୨୦୨୫ର ପ୍ରଥମ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମା ଆଜି ସୂର୍ଯ୍ୟର କିରଣ ପଡ଼ିବା ପୂର୍ବରୁ ବ୍ରହ୍ମ ମୁହୂର୍ତ୍ତରେ ଆରମ୍ଭ ହୋଇଛି। ଆଜିଠୁ ୪୫ ଦିନ ଧରି ଚାଲିବ ମହାକୁମ୍ଭ ମେଳା । ଆଜି ପ୍ରଥମ ସ୍ନାନ କରିବା ପାଇଁ ବିଭିନ୍ନ ମାର୍ଗ ଦେଇ ମଧ୍ୟରାତ୍ରିରୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ହର ହର ଗଙ୍ଗେ ଓ ଜୟ ଗଙ୍ଗା ମୈୟାଙ୍କ ଉଚ୍ଚାରଣ ମଧ୍ୟରେ ସ୍ନାନ ଆରମ୍ଭ ହୋଇଛି। ପୌଷ ପୂର୍ଣ୍ଣିମା ସ୍ନାନ ପର୍ବ ଅବସରରେ ଆଜି ଲକ୍ଷ ଲକ୍ଷ ଲୋକ ତ୍ରିବେଣୀ କୂଳରେ ସ୍ନାନ କରିଛନ୍ତି। ସୋମବାର ଭୋର ୪ଟା ୩୨ରୁ ସ୍ନାନ ପାଇଁ ଶୁଭ ସମୟ ଥିଲେ ମଧ୍ୟ ମଧ୍ୟରାତ୍ରିରୁ ସାରା ଦେଶର ଶ୍ରଦ୍ଧାଳୁସ୍ନାନ ଆରମ୍ଭ କରିଥିଲେ ଏବଂ ଏହା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ସ୍ନାନ କରିସାରିଲେଣି ଏବଂ ସମସ୍ତ ଘାଟ ଶ୍ରଦ୍ଧାଳୁଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଛି। ସକାଳ ସାଢ଼େ ୭ଟା ସୁଦ୍ଧା ୩୫ ଲକ୍ଷ ଶ୍ରଦ୍ଧାଳୁଙ୍କ ବୁଡ଼ ମାରିଥିବା ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । ଏହାସହ ଶ୍ରଦ୍ଧାଳୁମାନଙ୍କ ରହିବା ଖାଇବା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ଗଙ୍ଗା ନଦୀରେ ମଧ୍ୟ ଟ୍ୟୁବ ସାହାଯ୍ୟରେ ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି । ମହାକୁମ୍ଭ ମେଳା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି । ୧୨ ବର୍ଷ ପରେ ପ୍ରୟାଗରାଜରେ ହେଉଥିବା ଏହି ମହାକୁମ୍ଭ ମେଳାର ବିଶେଷ ଗୁରୁତ୍ୱ ରହିଛି। ୧୪୪ ବର୍ଷ ପରେ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଗ୍ରହ ସରଳ ରେଖାରେ ରହୁଥିବାରୁ ଏହା ବିଶେଷ ଯୋଗ ସୃଷ୍ଟି କରିଛି । ତେଣୁ ଚଳିତ ବର୍ଷର କୁମ୍ଭ ମେଳାର ବେଶ ମହତ୍ୱ ରହିଛି । Post navigation ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି ଆଖି ବୁଜିଲା ଶିମିଳିପାଳର ପୋଷା ହାତୀ ମହେନ୍ଦ୍ର