ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି। ଅଗଷ୍ଟ ୫ ତାରିଖରେ ଜେରା ପାଇଁ ହାଜର ହେବାକୁ ଇଡି ସମନ କରିଛି । ପୂର୍ବରୁ ଅନିଲଙ୍କ ଲିଙ୍କ୍ ଥିବା ୫୦ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡ଼ି । ବ୍ୟାଙ୍କ ଟଙ୍କାକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ବ୍ୟାଙ୍କ ଋଣ ନେଇ ଅନିଲଙ୍କ ଗ୍ରୁପ୍ ଅନ୍ୟ କମ୍ପାନୀକୁ ଦେଇଥିବା ଅଭିଯୋଗ ପରେ ଚଢ଼ାଉ କରିଥିଲା ଇଡ଼ି ।

ସୂଚନା ଯୋଗ୍ୟ; ଗତ ସପ୍ତାହରେ ଇଡି ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ମୁମ୍ବାଇରେ ରିଲାଏନ୍ସ ଗ୍ରୁପ ସହିତ ଜଡିତ ପ୍ରାୟ ୫୦ଟି ସ୍ଥାନରେ ଚଢାଉ କରିଥିଲା। ୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କରୁ ୩୦୦୦ କୋଟି ଟଙ୍କାର ଋଣ ନିଆଯାଇଥିଲା, ଯାହାକୁ ପରେ ଅନ୍ୟ କମ୍ପାନିଗୁଡ଼ିକୁ ପଠାଇ ଦିଆଯାଇଥିଲା। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଅଭିଯୋଗ କରିଛି ଯେ ରିଲାଏନ୍ସ ଗ୍ରୁପର ଅନେକ କମ୍ପାନୀ କୌଣସି ପର୍ଯ୍ୟାପ୍ତ ଗ୍ୟାରେଣ୍ଟି ବିନା ୟେସ୍ ବ୍ୟାଙ୍କରୁ ବଡ଼ ଋଣ ନେଇଥିଲେ ଏବଂ ସେହି ଟଙ୍କା ସେଲ୍ କମ୍ପାନୀ ମାଧ୍ୟମରେ ଅନ୍ୟ କାମରେ ଖର୍ଚ୍ଚ କରାଯାଇଥିଲା।

SEBIର ରିପୋର୍ଟରେ କୁହାଯାଇଛି ଯେ RHFL ୨୦୧୭-୧୮ ରେ ୩,୭୪୨.୬୦ କୋଟି ଟଙ୍କାର କର୍ପୋରେଟ୍ ଋଣ ଦେଇଥିଲା, କିନ୍ତୁ ୨୦୧୮-୧୯ ରେ ଏହି ପରିମାଣ ୮,୬୭୦.୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।ଏହି ସମୟ ମଧ୍ୟରେ, କମ୍ପାନୀ ଋଣ ଦେବାର ସମସ୍ତ ନିୟମକୁ ଅଣଦେଖା କରିଥିଲା। ଶୀଘ୍ର ଅନୁମୋଦନ ଦିଆଯାଇଥିଲା, ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରାଯାଇ ନଥିଲା ଓ ଅନେକ ଥର କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥା ଯାଞ୍ଚ ନକରି ବିପୁଳ ପରିମାଣର ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଏହି ଋଣର ଏକ ବଡ଼ ଅଂଶ ପରବର୍ତ୍ତୀ ସମୟରେ ପ୍ରମୋଟର ଗ୍ରୁପର କମ୍ପାନୀଗୁଡ଼ିକୁ ପଠାଯାଇଥିଲା, ଯାହା ଫଳରେ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟିଥିଲା।

Leave a Reply

Your email address will not be published. Required fields are marked *