ନିଟ୍ ବିବାଦ ଯେତେ ଘନାଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଏବେ ନିଟ୍‌ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ବୀକାର କରିଛନ୍ତି। ଆଗରୁ ନିଟ୍‌‌ ଅନିୟମିତତା ଅଭିଯୋଗରେ ଗୁଜରାଟ ପୁଲିସ ଗୋଧ୍ରାରୁ ୫ ଜଣଙ୍କୁ ଗିରଫ କରିଥିଲା ।

ବିହାରର ଦାନାପୁର ନଗର ପରିଷଦର ୨୨ବର୍ଷିୟ ୟାଦବ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ଲିକ୍‌ ପ୍ରଶ୍ନପତ୍ର ମିଳିଥିଲା। ଯାହା କି, ନିଟ୍‌ର ବାସ୍ତବିକ ପ୍ରଶ୍ନପତ୍ର ସହ ପୁରା ୧୦୦ ପ୍ରତିଶତ ସମାନ ଥିଲା। ୟାଦବ ଏପରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏକ ସ୍ବିକାରୋକ୍ତି ପତ୍ର ଦେଇଛନ୍ତି। ଯେଉଁଥିରେ ତାଙ୍କର ହସ୍ତାକ୍ଷର ବି ରହିଛି। ସେ ଏହି ସ୍ବିକାରୋକ୍ତିରେ କହିଛନ୍ତି, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ୟାଦବେନ୍ଦୁ ଏହି ଲିକ୍‌ ପେପର୍‌ର ସବୁ ବ୍ୟବସ୍ଥା କରିଥିଲେ।

ସେ କହିଛନ୍ତି ଯେତେବେଳେ ସେ ପରୀକ୍ଷା ପାଇଁ ବସିଥିଲେ ଏବଂ ପ୍ରକୃତ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା, ସେତେବେଳେ ଏହା ତାଙ୍କ ମାମୁ ପୂର୍ବରୁ ଦେଇଥିବା ପ୍ରଶ୍ନପତ୍ର  ସହିତ ମେଳ ଖାଉଥିଲା।

ସୂଚନା ଅନୁଯାୟୀ, ନିଟ୍ ହେଉଛି ଡାକ୍ତରୀ ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ର ପାଇଁ ଭାରତର ମୁଖ୍ୟ ପ୍ରବେଶିକା ପରୀକ୍ଷା। ଏନ୍‌ଟିଏ ପ୍ରତିବର୍ଷ ଏହି ପରୀକ୍ଷା ଆୟୋଜନ କରିଥାଏ।ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ଓ୍ବାନରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ୍‌ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦ ପ୍ରତିଶତ ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ ନିଟ୍‌‌ ଅନିୟମିତତା ଅଭିଯୋଗରେ ଗୁଜରାଟ ପୁଲିସ ଗୋଧ୍ରାରୁ ୫ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବା ପ୍ରିନ୍ସିପାଲ ଅଛନ୍ତି। ଏମାନେ ୨୭ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସହାୟତା କରିଥିବା ଜଣାପଡ଼ିଥିଲା। ଏପରି କି ପରୀକ୍ଷାରେ ସହାୟତା ପାଇଁ ପ୍ରତି ଛାତ୍ରଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୨ କୋଟି ୩୦ ଲକ୍ଷ ଟଙ୍କାର ଚେକ୍‌‌ ଜବତ କରିଥିଲା ପୋଲିସ୍।

Leave a Reply

Your email address will not be published. Required fields are marked *