ବିଶ୍ବରାଜ ନାୟକଙ୍କ କଲମରୁ: ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ମାଆ ଆସେ, ଆସେ କିନ୍ତୁ ମାତ୍ର କିଛି ଦିନ ପାଇଁ। ସେହି କିଛି ଦିନ ବିତିଯାଏ ଆଖି ପଲକରେ। ମାଆକୁ ମେଲାଣି ଦେଇ ସାରିବା ପରେ ଚାରି ଆଡ଼ ଲାଗେ ଖାଁ ଖାଁ। ଶରତର ନିର୍ମଳ ଆକାଶ, କାଶତଣ୍ଡିର ଅପୂର୍ବ ସମ୍ଭାର – ଏସବୁ ଅସମ୍ପୂର୍ଣ୍ଣ ଲାଗେ, ନିରର୍ଥକ ମନେ ହୁଏ।

କିନ୍ତୁ ମାତ୍ର କିଛି ଦିନ ପାଇଁ।

ଓଡ଼ିଶା ପୁଣି ଚଳ ଚଞ୍ଚଳ ହୋଇ ଉଠେ ମା’ ଗଜଲକ୍ଷ୍ମୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ, ଶରତ ପୂର୍ଣ୍ଣିମା ଦିନ। ଓଡ଼ିଶାରେ ଏହା “କୁମାର ପୂର୍ଣ୍ଣିମା” ନାମରେ ପାଳିତ ହୁଏ।

“କୁମାର ପୂର୍ଣ୍ଣିମା” ଓଡ଼ିଶାର ଆଉ ଏକ ନାରୀ-କୈନ୍ଦ୍ରିକ ନିଆରା ପର୍ବ, ଯାହା ନିଛକ ଓଡ଼ିଆ ଜୀବନର ସ୍ୱାକ୍ଷର ବହନ କରେ। ଓଡ଼ିଆ ସଂସ୍କୃତି ଯେଉଁ ନାରୀ ସଶକ୍ତିକରଣର ପରିକଳ୍ପନା କରେ, ସେଥିରେ ନାରୀକୁ ବିଦ୍ରୋହ କରିବାକୁ ପଡ଼େ ନାହିଁ, ପାରିବାରିକ ଜୀବନକୁ ହେୟ ଜ୍ଞାନ କରି କେବଳ ଅର୍ଥନୈତିକ ସ୍ଵାଧୀନତା ଉପରେ ଗୁରୁତ୍ବ ଦେବାକୁ ପଡ଼େ ନାହିଁ। ବରଂ, ଓଡ଼ିଆ ସଂସ୍କୃତି ଯେଉଁ ସଶକ୍ତିକରଣର କଥା କୁହେ ସେଠି ନାରୀଟି ପରିବାରର ଶକ୍ତି କେନ୍ଦ୍ର ଭାବେ ତା’ ଦାୟିତ୍ଵ ନିର୍ବାହ କରେ। ନାରୀଟି ବିଶ୍ୱାସ କରେ ଯେ ପାରିବାରିକ ସଫଳତା ସହ ତା ଜୀବନ ପରିପୂର୍ଣ୍ଣ, ସମ୍ପୂର୍ଣ। ତେଣୁ ଓଡ଼ିଆ କୁମାରୀଟି ନାରୀ ସଶକ୍ତିକରଣ ନାମରେ କେବେ ପ୍ରଶ୍ନ କରେ ନାହିଁ ଯେ ମୋ ଜୀବନରେ ସ୍ୱାମୀର ଆବଶ୍ୟକତା କ’ଣ ? ବରଂ ମହାଦେବଙ୍କ ପୁତ୍ର କାର୍ତ୍ତିକଙ୍କ ପରି ସୂର,ବୀରଙ୍କୁ ସ୍ବାମୀ ଭାବେ କାମନା କରି ତାଙ୍କ ସହ ଜୀବନ ସଂଗ୍ରାମରେ ବିଜୟୀ ହେବାର ଆତ୍ମବିଶ୍ବାସ ପୋଷଣ କରେ। କି ଚମତ୍କାର ଜୀବନ ଦର୍ଶନ ଚିନ୍ତା କରନ୍ତୁ !
ଏହି କାମନା ମଧ୍ୟରେ ଲୁକ୍କାୟିତ ଥିବା ଅନ୍ୟ ଏକ ସତ୍ୟ ଆମକୁ ଚମତ୍କୃତ କରିବ, ଓଡ଼ିଆ ଭାବେ ଗର୍ବିତ ହେବାର ଖୋରାକ ଯୋଗାଇ ଦେବ । କାର୍ତ୍ତିକଙ୍କୁ ପୂଜା କରିବା ପରେ ଓଡ଼ିଆ ଝିଅଟି ପୁନେଇଁ ଜହ୍ନକୁ ମଧ୍ୟ ପୂଜା କରେ। ଜହ୍ନ ସୌମ୍ୟ, ଶାନ୍ତ, ସ୍ନିଗ୍ଧ। କିନ୍ତୁ ଜହ୍ନର ରହିଛି ଅନ୍ୟ ଏକ ପାର୍ଶ୍ୱ। ଜହ୍ନ ନିଜ କଳା ଦାଗ ହେତୁ ଅସମ୍ପୂର୍ଣ୍ଣ ହୋଇ ମଧ୍ୟ ସମ୍ପୂର୍ଣ୍ଣ ଓ ସୁନ୍ଦର। ଜହ୍ନକୁ ମାପଦଣ୍ଡ ରଖି ନିଜ ପାଇଁ ସ୍ବାମୀ କାମନା କରୁଥିବା କୁମାରୀଟିକୁ ଏ ପର୍ବ ତେବେ କେଉଁ ଜୀବନ ଦର୍ଶନର ଶିକ୍ଷା ଦିଏ ? ବହୁ ଇପ୍ସିତ ସ୍ବାମୀ ଜଣଙ୍କ ନିକଟରେ କିଛି ଦାଗ ଥାଇ ପାରେ, ଦୁର୍ବଳତା ଥାଇ ପାରେ। ଅସମ୍ପୂର୍ଣତା ହିଁ ଚିରନ୍ତନ ବାସ୍ତବତା। ସେ ଅସମ୍ପୂର୍ଣ୍ଣ ମଣିଷକୁ ସମ୍ପୂର୍ଣ୍ଣ ମଣିଷ ଭାବେ ଗ୍ରହଣ କରି ନେଇ ଭଲ ପାଇବାର ଶିକ୍ଷା ଦିଏ ଏ ପର୍ବ। ଏକ ସୁଖୀ ଗ୍ରାହ୍ଯସ୍ତ୍ୟ ଜୀବନ ବଂଚିବା ପାଇଁ ଆବଶ୍ୟକ ଥିବା ଜ୍ଞାନକୁ ଖୁବ୍ ସୁନ୍ଦର ଭାବେ ଶିକ୍ଷା ଦିଏ କୁମାର ପୂର୍ଣ୍ଣିମା। ଜୀବନରେ ପ୍ରତିଟି ଜିନିଷ ସମୟ ଆସିଲେ ଦରକାରୀ ହୋଇ ପାରେ, ଗୁରୁତ୍ବପୂର୍ଣ୍ଣ ପାଲଟି ପାରେ। ଅଲୋଡ଼ା ଜିନିଷଟି ମଧ୍ୟ ପୂଜ୍ୟ ହୋଇ ପାରେ। ଏହି ଦର୍ଶନ ତତ୍ତ୍ୱକୁ ଉପଲବ୍ଧି କରାଇବା ପାଇଁ ଆମେ ଏହି ଦିନ ପୂଜାରେ “ଜହ୍ନି ଫୁଲ”ର ପ୍ରୟୋଗ ମଧ୍ୟ କରୁ।
ଐଶ୍ୱର୍ଯ୍ୟର ଦେବୀ ଗଜଲକ୍ଷ୍ମୀଙ୍କ ଆରାଧନା ଜୀବନରେ ଅର୍ଥର ଥିବା ଗୁରୁତ୍ବ ପ୍ରତି ଆମକୁ ସଚେତନ କରାଏ। ଆମକୁ ମନେ ପକାଇ ଦିଏ ଯେ ଅର୍ଥ ହିଁ ପୁରୁଷାର୍ଥ। ଅର୍ଥ ଆମ ଚେତନାଗତ ଉତ୍ତରଣ ଦିଗରେ ସହାୟକ ହେଉଥିବା ପ୍ରଥମ ସୋପାନ। ମାସଲୋଙ୍କ ନୀଡ଼ ହାଏରାରକି ( Maslow’s Hierarchy of Needs) ଥିଓରୀ ଆସିବାର ବହୁ ପୂର୍ବରୁ ଆମେ ଓଡ଼ିଆ ଏହାକୁ ସାଙ୍କେତିକ ସ୍ତରରେ ପାଳି ଆସୁଥିଲୁ।

‘କୁମାର ପୂର୍ଣ୍ଣିମା’ ସନ୍ଧ୍ୟାରେ ଝିଅମାନେ ଖେଳୁଥିବା ପୁଚି ଖେଳ ଆମ ଓଡ଼ିଆ ଝିଅଙ୍କ ଶାରିରୀକ ସାମର୍ଥ୍ୟ ସୂଚିତ କରେ। ବିଷ – ଅମୃତ ସାଙ୍କେତିକ ଭାବେ ଜନ୍ମ – ମୃତ୍ୟୁ ସମ୍ପର୍କରେ ଆମକୁ ଅବଗତ କରେ। ପୁନଶ୍ଚ ଏକ ବିଷାକ୍ତ ସମ୍ପର୍କ କିପରି ଆମ ଅଧୋପତନର କାରଣ ହୋଇ ପାରେ ଏବଂ ଏକ ଅମୃତ ସମ୍ପର୍କ କିପରି ଆମ ଜୀବନକୁ ପୁନର୍ଜନ୍ମ ଦେଇ ପାରେ ସେ ସମ୍ପର୍କରେ ଆମକୁ ଶିକ୍ଷା ଦିଏ।

ଆଃ ! ସାଧାରଣ ଲାଗୁଥିବା ଓଡ଼ିଆ ପ୍ରଥା ମଧ୍ୟରେ ଲୁଚି ରହିଛି କି ଅସାଧାରଣ ଦର୍ଶନ!

ଇଏ ହେଉଛି ଆମ ଓଡ଼ିଆ ସଂସ୍କୃତି, ଚଳଣୀ, ରୀତି ନୀତି। ସମସ୍ତଙ୍କୁ କୁମାର ପୂର୍ଣ୍ଣିମାର ଶୁଭେଚ୍ଛା। ଏ ନିଆରା ପର୍ବକୁ ପାଳନ କରିବା ସହ ଆସନ୍ତୁ ପ୍ରତିଟି ଓଡ଼ିଆ ଓ ଅଣ-ଓଡ଼ିଆଙ୍କୁ ଆମ ଗୌରବମୟ ସଂସ୍କୃତି ସମ୍ପର୍କରେ ପରିଚିତ କରାଇବା।

ଜୟ ଓଡ଼ିଶା। 🙏

By Nirvay

Leave a Reply

Your email address will not be published. Required fields are marked *