୨୦୨୫ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଖେଳ ପ୍ରେମୀଙ୍କ ପାଇଁ ବଡ ଝଟକା। ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରା । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରୁ ବୁମରାଙ୍କୁ ଦଳରୁ ବାଦ ଦିଆଯାଇଛି । ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ପିଠି ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ପାରିବାରୁ ତାଙ୍କୁ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ବାଦ ଦିଆଯାଇ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଛି। ୧୫ ତାରିଖରେ ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବ ।

ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ଲାଗି ବିସିସିଆଇ ରୋହିତ୍‌ ଶର୍ମାଙ୍କ ନେତୃତ୍ୱରେ ପୂର୍ବରୁ ସମ୍ଭାବ୍ୟ ଦଳ ଘୋଷଣା କରିଥିଲା। ଏଥିରେ ବୁମ୍‌ରାଙ୍କ ନାମ ରହିଥିଲା। କିନ୍ତୁ ସେ ସମୟସୀମା ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହେବାରେ ସମର୍ଥ ହୋଇନାହାନ୍ତି। ତେଣୁ ଚାମ୍ପିଅନ୍ସ ଟ୍ରଫିରୁ ଯଶପ୍ରୀତ ବୁମ୍‌ରାଙ୍କୁ ବାଦ୍ ଦିଆଯାଉଛି।

ଚାମ୍ପିଅନ୍ସ ଟ୍ରଫି ଭାରତୀୟ ଦଳରେ ରହିଛନ୍ତି : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶୁବମାନ ଗିଲ୍‌ (ଉପ-ଅଧିନାୟକ), ଶ୍ରେୟାସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତ (ଉଭୟ ୱିକେଟ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ମହମ୍ମଦ ସାମି, ଅର୍ଶଦୀପ୍‌ ସିଂହ, ହର୍ଷିତ ରାଣା, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ

ସୂଚନାଯୋଗ୍ୟ ଯେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିଥିଲା। ସିରିଜର ଶେଷ ମ୍ୟାଚ୍‌ରେ ବୁମରାଙ୍କ ପିଠି ସମସ୍ୟା ହୋଇଥିଲା, ଯାହା ପରେ ସେ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ସେବେଠାରୁ ବୁମରା ଟିମ୍ ଇଣ୍ଡିଆ ପାଇଁ କୌଣସି ମ୍ୟାଚ୍ ଖେଳିନାହାଁନ୍ତି। ଗତ ୭ ତାରିଖରେ ବୁମରାଙ୍କ ଯନ୍ତ୍ରଣା ସ୍ଥାନର ଦ୍ୱିତୀୟ ସ୍କାନ କରାଯାଇଥିଲା । ଏନସିଏ ମେଡିକାଲ୍‌ ଟିମ୍‌ ମଧ୍ୟ ବୁମରାଙ୍କ ଆଘାତ ସ୍ଥାନର ଚିକିତ୍ସା ଚଳାଇଛି । ତାଙ୍କୁ ଫିଟ୍‌ ହେବା ପାଇଁ ଆଉ କେତେଦିନ ଲାଗିବ, ତାହା ସ୍ପଷ୍ଟ ହୋଇନାହିଁ ।

 

Leave a Reply

Your email address will not be published. Required fields are marked *