୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କ ଦେହରେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ସେହି ଠିକା ଶିକ୍ଷୟିତ୍ରୀ କିଛି ଦିନ ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆରପୁରକୁ ଚାଲିଯାଇଥିଲେ। ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଦେଇଥିଲେ ସେ। କ’ଣ ଥିଲା ସେ ମୃତ୍ୟୁକାଳୀନ ଜମାନବନ୍ଦୀରେ ? କେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଶିକ୍ଷୟିତ୍ରୀ ? ସେମାନଙ୍କ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିଲା କି ?

ଏହି ଶିକ୍ଷୟିତ୍ରୀଙ୍କ ନାଁ ହେଲା ଇତିଶ୍ରୀ ପ୍ରଧାନ । ରାୟଗଡ଼ା ଜିଲାର ଟିକିରି ୟୁପି ସ୍କୁଲରେ ଅସ୍ଥାୟୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ ଇତିଶ୍ରୀ। ତାଙ୍କୁ ସ୍କୁଲ ଇନ୍ସପେକ୍ଟର ନିତ୍ୟାନନ୍ଦ ଦଣ୍ଡସେନା ଯୌନ ଶୋଷଣ କରୁଥିବା ଅଭିଯୋଗ କରିଥିଲେ ସେ । ଏବାବଦରେ ସେ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ପୁଲିସ, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଜଣାଇ ସୁରକ୍ଷା ଭିକ୍ଷା କରିଥିଲେ। କୋରାପୁଟ ସାଂସଦ ଜୟରାମ ପାଙ୍ଗିଙ୍କ ସହ ନିତ୍ୟାନନ୍ଦଙ୍କ ସମ୍ପର୍କ ଅତି ଭଲ ଥିବାରୁ ସାଂସଦ ମଧ୍ୟ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏବାବଦରେ ଇତିଶ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ଜଣାଇଥିଲେ। ଆଶା କରିଥିଲେ ଯେ ନବୀନ ତାଙ୍କୁ ସୁରକ୍ଷା ଦେବେ। କିନ୍ତୁ ପୁଲିସ ଉପସ୍ଥିତିରେ ନିତ୍ୟାନନ୍ଦ ଦଣ୍ଡସେନା ଇତିଶ୍ରୀଙ୍କୁ ବାଡ଼ାବାଡ଼ି କରିଥିଲେ।

ତତ୍କାଳୀନ ଆଇଆଇସି ସୁଜିତ କୁମାର ସାଏ ସୁରକ୍ଷା ଦେବା ବଦଳରେ ଇତିଶ୍ରୀଙ୍କୁ ଧମକ ଚମକ ଦେଇ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। ଇତି ଶ୍ରୀ ନିତ୍ୟାନନ୍ଦଙ୍କ ବିରୋଧରେ ଟିକିରି ଥାନାରେ ଏତଲା ଦେଇଥିଲେ ଜୁଲାଇ ୧୮ ତାରିଖରେ। ଜୁଲାଇ ୨୯ ତାରିଖରେ ସେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ପରଦିନ ସେ ଭୁବନେଶ୍ୱରରେ ମହିଳା କମିଶନଙ୍କୁ ଭେଟି ଯୌନ ନିର୍ଯାତନା ବାବଦରେ ଅଭିଯୋଗ କରିଥିଲେ । ଅଗଷ୍ଟ ୫ ତାରିଖରେ ରାୟଗଡ଼ା ଏସ୍‌ପିଙ୍କୁ ଭେଟି ଗୁହାରୀ କରିଥିଲେ । ଅଗଷ୍ଟ ୧୬ ତାରିଖରେ ସେ ପୁଣି ଥରେ ଟିକିରି ଥାନାରେ ନିତ୍ୟାନନ୍ଦଙ୍କ ବିରୋଧରେ ଏତଲା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହାରି ଭିତରେ ଜଣାଇଥିଲେ ଇତିଶ୍ରୀ। କିନ୍ତୁ ଫଳ କ’ଣ ହୋଇଥିଲା ?

ଅକ୍ଟୋବର ୨୮ ତାରିଖରେ ଇତିଶ୍ରୀ ଶୋଇଥିବା ଅବସ୍ଥାରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା। ନଭେମ୍ବର ୬ ତାରିଖରେ ନିଜ ଜନ୍ମ ସ୍ଥାନରୁ ବହୁ ଦୂରରେ ବିଶାଖାପାଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସେ ବିଷୟରେ ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଆକାରରେ ସବୁ କଥା କହିଥିଲେ ଇତିଶ୍ରୀ।

ନବୀନ ବାବୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ । ସବୁ ପ୍ରମାଣପତ୍ର ନଷ୍ଟ କରିଦିଆଗଲା। ଆଇଆଇସି ଓ ସ୍କୁଲ ଇନ୍ସପେକ୍ଟରଙ୍କ ସମେତ ୪ ଜଣଙ୍କୁ ସରକାର ସସପେଣ୍ଡ କରିଥିଲେ । ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତଦନ୍ତ ହେଲା । କିନ୍ତୁ ଯେହେତୁ କ୍ରାଇମବ୍ରାଞ୍ଚ ମାର୍ଫତରେ ସବୁ ପ୍ରମାଣପତ୍ର ନଷ୍ଟ କରି ଦିଆଯାଇଥିଲା, ସେହେତୁ କିଛି ହେଲା ନାହିଁ। ଇତିଶ୍ରୀଙ୍କୁ ନ୍ୟାୟ ମିଳିଲା ନାହିଁ।

ସୌମ୍ୟାଙ୍କ ଘଟଣା ବିଜୁ ଜନତା ଦଳ ବନ୍ଦ ଓ ଲୋକସେବା  ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ‘ମନକୁ ଏହା ଅଧିକ ବିଚଳିତ କରୁଛି ଯେ କିପରି ଗୋଟିଏ ବିଫଳ ବ୍ୟବସ୍ଥା ଜଣକ ଜୀବନ ନେଇପାରେ । ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହଯ୍ୟ କରିବା । ବଦଳରେ ଚୁପ୍ ରହିଲା।’

ଇତିଶ୍ରୀ ମୃତ୍ୟୁ ବ୍ୟବସ୍ଥାର ଫଳ ନଥିଲା କି ? କାହାକୁ ଜଣାଇ ନଥିଲେ ଇତିଶ୍ରୀ ? ନବୀନ ନିଜେ ଅଜ୍ଞ ଥିଲେ କି ? ନିଜ ଦଳର ସାଂସଦ ଜୟରାମ ପାଙ୍ଗି ଦଣ୍ଡସେନାଙ୍କ ଅତ୍ୟାଚାର କଥା ଜାଣି ନଥିଲେ କି ? ମୃତ୍ୟୁକାଳୀନ ଜମାନବନ୍ଦୀକୁ କାହିଁକି ନଷ୍ଟ କରିଦିଆଗଲା ? ଏବେ ୧୦୦ ମୂଷା ଖାଇ ବିଲେଇ ହଜ୍ ଯିବା ପରି କଥା ନୁହେଁ କି ? ଇତିଶ୍ରୀ ଏବଂ କୁନ୍ଦୁଲୀ ବାଳିକା ବାବଦରେ ବିଜଦ ଆଉ ଥରେ ଆତ୍ମ ସମୀକ୍ଷା କରିବା ଉଚିତ ବୋଲି କୁହାଗଲେ ଭୁଲ ହେବ କି ?

Leave a Reply

Your email address will not be published. Required fields are marked *