ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ସେଥିପାଇଁ ପାଇଁ ଜୋରଦାର୍ ଚାଲିଛି ପ୍ରସ୍ତୁତି । ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ କମିଶନର (ଆରଡିସି) ପି.ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି  ବୈଠକରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍ ପାଇଁ ଫେବୃଆରୀ ୭ ସୁଦ୍ଧା ସମସ୍ତ ପ୍ରସ୍ତୁତି ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ସହ ଏହି ବୈଠକରେ ମ୍ୟାଚ୍ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ନିଷ୍ପତି ନିଆଯାଇଛି। ପାଞ୍ଚଟି ସ୍ଥାନରେ ମୋଟ ୨୫ ହଜାର ଯାନ ବାହନ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ ବାଲିଯାତ୍ରା ପଡ଼ିଆରେ ମଧ୍ୟ ପାର୍କିଂ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଉପର ଓ ତଳ ବାଲିଯାତ୍ରା ପଡିଆ ଏବଂ ଅନ୍ୟ ତିନୋଟି ସ୍ଥାନରେ ହେବ ପାର୍କିଂ । ଅନ୍ୟ ସମସ୍ତ ସ୍ଥାନ ଭର୍ତ୍ତି ହୋଇଯିବା ପରେ ହିଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରାଯିବ । ଏଭଳି ପରିସ୍ଥିତି ନ ହେଲେ ତଳ ବାଲିଯାତ୍ରା ପଡ଼ିଆ ବ୍ୟବହାର କରାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ସହ  ଷ୍ଟାଡିୟମରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ ପାଇଁ ଚାରି ଜଣ ଖାଦ୍ୟ ନିରୀକ୍ଷକଙ୍କୁ ନିଯୁକ୍ତ କରାଯିବ । ଖାଦ୍ୟଗୁଡ଼ିକ ଅଧିକ ଦରରେ ନୁହେଁ ବରଂ ସେମାନଙ୍କର ମୂଳ ଦରରେ ବିକ୍ରି କରାଯିବ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଆରଡିସିଙ୍କ ସହ ଓସିଏ ପଦାଧିକାରୀ, କଟକ ଜିଲ୍ଲାପାଳ, ଅତିରିକ୍ତ ପୋଲିସ କମିଶନର ଉପସ୍ଥିତ ଥିଲେ । ମ୍ୟାଚର ସୁପରିଚାଳନା ନେଇ ବ୍ୟାପକ ଭାବରେ ଆଲୋଚନା କରାଯାଇଛି ।

ଅନ୍ୟପଟେ ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ବୁଧବାର ଆରମ୍ଭ ହେବ। ଫେବୃଆରୀ ୫ ଏବଂ ୬ ତାରିଖରେ ଷ୍ଟାଡିୟମର ନିର୍ଦ୍ଦିଷ୍ଟ କାଉଣ୍ଟରରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫଲାଇନ୍ ଟିକେଟ୍ ବିକ୍ରି ହେବ। ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିଷ୍ପତ୍ତି ନେଇଛି ଯେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯିବ। ପ୍ରତ୍ୟେକ କାଉଣ୍ଟରରେ ମୋଟ ୩ଟି ଧାଡ଼ି କରାଯିବ।

Leave a Reply

Your email address will not be published. Required fields are marked *