ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶୋଧ ପରାୟଣ କାର୍ଯ୍ୟକଳାପ ବିରୋଧରେ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସ ଭବନ ଠାରେ ଏକ ପ୍ରେସ ବିବୃତ୍ତି ରଖିଥିଲେ। ସେ କହିଛନ୍ତି, ସମ୍ବିଧାନକୁ ସୁରକ୍ଷା ଦେଉଥିବା ଦଳ କଂଗ୍ରେସ ଏବଂ ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଓ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ବ୍ୟକ୍ତିଗତ ବିଦ୍ୱେଷ ରଖି ବିଗତ ୧୨ ବର୍ଷ ଧରି ହଇରାଣ ଏବଂ ଅପମାନିତ କରି ଆସୁଥିଲେ। ନ୍ୟାସନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ ମାମଲାରେ ଆମର ସର୍ବୋଚ୍ଚ ନେତା ଓ ନେତ୍ରୀଙ୍କୁ ମିଥ୍ୟା ଦୁର୍ନୀତି ମାମଲାରେ ଇଡି ସହଯୋଗରେ ଦୀର୍ଘ ୭୫ ଘଂଟା ଜେରାକରି ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି । ଯେଉଁ କଂଗ୍ରେସ ଦଳର ସର୍ବୋଚ୍ଚ ନେତୃତ୍ୱ ସମ୍ବିଧାନର ସୁରକ୍ଷା, ବେକାର ଯୁବକ ଯୁବତୀ, ଶ୍ରମିକ, ଦଳିତ, ନାରୀ ଓ କୃଷକଙ୍କ ସହ ସାମାଜିକ ନ୍ୟାୟ ପାଇଁ ଶାଣିତ ସ୍ୱରରେ ବିରୋଧ କରୁଛନ୍ତି ସେମାନଙ୍କୁ ଦମନ କରିବାପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଚେଷ୍ଟା କରୁଛନ୍ତି । ଭକ୍ତ ଦାସ ଆଉ ମଧ୍ୟ କହିଛନ୍ତି ସମ୍ବିଧାନ ରଚନା କରିଥିବା କଂଗ୍ରେସ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାପକ ଓ ପ୍ରଶାସନିକ ଢ଼ାଞ୍ଚା ତିଆରି କରିଥିବା, ଏପରିକି ସୂଚନା ଅଧିକାର ଆଇନ ଆଣିଥିବା ସ୍ୱାଧୀନ ଚେତା କଂଗ୍ରେସର ତ୍ୟାଗ ଓ ବଳିଦାନ ସମକକ୍ଷ କେହି ନାହାନ୍ତି । ଯଦି ଆମ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବଳିଦାନ କଥା କୁହାଯାଏ ତେବେ ତାଙ୍କ ଶାଶୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେଲା, ପୁଣି ତାଙ୍କ ସ୍ୱାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା । ଏତେ ଦୁଃଖଭୋଗ ସତ୍ତ୍ୱେ ସେ ଭାରତର ଜନତାଙ୍କୁ ଅଣଦେଖା କରିନାହାନ୍ତି । ନିଜ ଜୀବନକୁ ଦେଶପାଇଁ ଉତ୍ସର୍ଗ କରିଦେଇଛନ୍ତି । ସେହିପରି ଆମ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ୭୫ ଘଂଟା ଇଡି ଜେରା କଲା । ଜେରାରୁ ଫେରିଲା ପରେ କହିଲେ ମୋତେ ବେଶ ଖୁସି ଲାଗିଲା । ତାଙ୍କର ଏଭଳି ଅଦଭୂତ ସାହସ ଏବଂ ଦେଶପ୍ରତି ଥିବା ଭକ୍ତି ପ୍ରତି ଯୁବ ସମାଜ ଆକୃଷ୍ଟ । କୌଣସି ଏଫଆଇଆର ବିନା କାହାରି ଅଭିଯୋଗରେ ସରକାର ଯେମିତି ତାହାର ସମସ୍ତ ସରକାରୀ କଳ ବ୍ୟବହାର କରି ଇଡି ମାଧ୍ୟମରେ ଜାତୀୟ ଓ ଆର୍ନ୍ତଜାତିକ ସ୍ତରରେ କଂଗ୍ରେସର ଛବିକୁ କଳୁଷିତ କରିବାର ଚେଷ୍ଟା କଲା ତାହା ଦେଶପାଇଁ ଏକ ଅପମାନ । ଭକ୍ତ ଦାସ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହା ଏହି ଅପରାଧର ଅପରାଧି । ନ୍ୟାସନାଲ ହେରାଲ୍ଡ ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ବ୍ୟବହାର କରା ଯାଇଥିଲା । ଏକଥା ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା କ’ଣ ବୁଝିବେ । ଏପରି ଅବସ୍ଥା ହେଲା ଯେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚାଲିପାରିଲା ନାହିଁ । କାରଣ କର୍ମଚାରୀଙ୍କୁ ଦେବାପାଇଁ ପଇସା ନଥିଲା । ସେଥିପାଇଁ କଂଗ୍ରେସ ଦଳ ୟଙ୍ଗ ଇଣ୍ଡିଆ ନାମକ ଏକ ଲାଭବିହୀନ ସଂସ୍ଥା ଜରିଆରେ ୧୦୦ ଗୋଟି କିସ୍ତି ପଇସା ପୈଠ କରିଥିଲା, ଯେପରି ଖବର କାଗଜର କର୍ମଚାରୀ ତାଙ୍କ ପ୍ରାପ୍ୟ ପାଇପାରିବେ । ଏଥିରେ ଦୁର୍ନୀତିର କୌଣସି ଚିହ୍ନ ବର୍ଣ୍ଣ ସୁଦ୍ଧା ନଥିଲା । ସୁପ୍ରିମକୋର୍ଟ ନିର୍ଦ୍ଦୋଷ ପ୍ରମାଣିତ କରିବାପରେ ପ୍ରମାଣିତ ହୋଇଯାଇଛି ସେମାନେ ମିଥ୍ୟା ଲାଞ୍ଛନା ଲଗାଇଥିଲେ । ତେଣୁ ସେମାନେ ଦେଶ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ । କ୍ଷମତାର ଦୁରୁପଯୋଗ କରି ଆଇନକୁ ବେଆଇନ ହିସାବରେ ବ୍ୟବହାର କରି ବିଶ୍ୱଦରବାରରେ ତୁମେ ନିନ୍ଦିତ ହୋଇଛ । ଯଦି ଦେଶବାସୀଙ୍କ ସାମନାକୁ ଆସି କ୍ଷମାମାଗିବା ପାଇଁ ଲଜ୍ଜାବୋଧ ହେଉଛି ତାହାହେଲେ ଇସ୍ତଫା ଦିଅ । ଆଜି ନହେଲେ କାଲି ଦେଶବାସୀ ତୁମକୁ ନିଶ୍ଚିତ ଦଣ୍ଡିତ କରିବେ । ଏହି ପରିପେକ୍ଷୀରେ ପିସିସି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର କ୍ଷମା ପ୍ରାର୍ଥନା କିମ୍ବା ଇସ୍ତଫା ପାଇଁ ଏବଂ ବିଜେପିର ପ୍ରତିହିଂସା ପରାୟଣ କାର୍ଯ୍ୟକଳାପ ପାଇଁ ଆଜି ବିଜେପି ରାଜ୍ୟ କାର୍ଯ୍ୟଳୟ ଘେରାଉ କରିବୁ ଏବଂ ଏଭଳି କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ମଧ୍ୟ ଆୟୋଜନ ହେବ ବୋଲି ପିସିସି ସଭାପତି ଭକ୍ତ ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପିସିସି ଉପସଭାପତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଜେନା ଉପସ୍ଥିତ ଥିଲେ। Post navigation Odia Man Returns: ସୁଦାନରୁ ଫେରି ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଆ ଯୁବକ ଆଦର୍ଶ