Historic Bali Jatra Begins In Cuttack
ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୋଇତରେ ଆସି ବାଲିଯାତ୍ରାର ଉଦ୍‌ଘାଟନ କରିଛନ୍ତି । ବାଲିଯାତ୍ରା ଉଦଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ତଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମୁକ୍ତାକାଶ ମହାବାଣିଜ୍ୟ ମେଳା ।
 
ସହଯୋଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହି ମହାପର୍ବରେ ସାମିଲ ହୋଇଛନ୍ତି । ଐତିହାସିକ ବାଲିଯାତ୍ରା ପାଇଁ ସରକାରୀ ଅନୁଦାନ ରାଶି ବୃଦ୍ଧି ପାଇଛି । ୨ କୋଟି ବଦଳରେ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
 
ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ କୃଷ୍ଣମୂର୍ତ୍ତି, ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଧାୟକ ପ୍ରକାଶ ସେଠୀ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ବାଲିଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି। ଏ ବର୍ଷ ପାଖାପାଖି ୨୦୦୦ ଟି ଷ୍ଟଲ ଖୋଲାଯାଉଛି। ବ୍ୟବସାୟ ଦୃଷ୍ଟିକୋଣ ସହିତ, ନୂଆ ନୂଆ ପ୍ରଡକ୍ଟ ସମ୍ପର୍କରେ ଜାଣିବା ଏବଂ ଭାଇଚାରାର ବନ୍ଧନକୁ ସୁଦୃଢ କରିବା ହେଉଛି ଆମର ଲକ୍ଷ୍ୟ। ଗତବର୍ଷ ୨୦୦ କୋଟି ଟଙ୍କାର ବିଜନେସ ହୋଇଥିବା ବେଳେ ଚଳିତବର୍ଷ ଆହୁରି ଅଧିକ ହେବ ବୋଲି ସେ ଆଶା କରିଥିଲେ।।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଡ଼ମ୍ବା ମୋହନ୍ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କଳା ନନ୍ଦିନୀ ନାଟକ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହିତ ଭାଷା ଓ ସାହିତ୍ୟକୁ ପ୍ରୋତ୍ସାହନ ପ୍ରକ୍ରିୟାରେ ପିଲାମାନଙ୍କୁ ପୁସ୍ତକ ବିତରଣ କରିଥିଲେ ।

ସେ ପୁଣି କହିଥିଲେ ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟ ର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରିରହିଛି ।
ସେ ଆହୁରି କହିଥିଲେ ଯେ, ଓଡିଶାରେ ୫୭୫ କିଲୋମିଟର ସୁଦୀର୍ଘ ତଟ ରେଖା ଅଛି । ପାରାଦୀପ, ଧାମରା, ଗୋପାଳପୁର ବ୍ୟତୀତ ରାଜ୍ୟ ରେ ଆଗାମୀ ଦିନରେ ୧୪ଟି ଛୋଟ ଛୋଟ ବନ୍ଦର ନିର୍ମାଣ ହେବ । ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଜଟାଧାର ମୁହାଣରେ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବାହୁଦା ବନ୍ଦରର ବିକାଶ ପାଇଁ ୨୧ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ ପାରାଦୀପ ପରେ ବାହୁଦା ହେବଓଡିଶା ର ଦ୍ୱିତୀୟ ବୃହତ୍ତମ ବନ୍ଦର । ୨୪ ହଜାର ୭୦୦ କୋଟି ଟଙ୍କାରେ ପାରାଦୀପ ନିକଟରେ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବା ପାଇଁ ଯୋଜନା ରହିଛି । ଆଗମୀ ଦିନରେ ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଗେଟ୍ ୱେ ବୋଲି ସେ କହିଥିଲେ ।

By Nirvay

Leave a Reply

Your email address will not be published. Required fields are marked *