ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଆଜି ଉଦ୍ଧାର ହୋଇଛି । ମହାବିଦ୍ୟାଳୟର ଛାତ୍ରୀନିବାସରେ ବେକରେ ଓଢଣୀ ଲଗାଇ ଜୀବନ ହାରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ୱାଇଁ ହୋଇଥିବା ବେଳେ ଘର କେନ୍ଦ୍ରାପଡ଼ାର ବୋଲି ଜଣା ପଡିଛି। ସେ ଭୁବନେଶ୍ୱରରେ ରହି ଯୁକ୍ତ ୨ରେ ପାଠ ପଢୁଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଛାତ୍ରୀନିବାସରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଛାତ୍ରୀ ଜଣକ ଜୀବନ ହାରିଛନ୍ତି, ତାହା ଜଣାପଡିନାହି । ଶବ ବ୍ୟବଚ୍ଛେଦ ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଇଆଇସି କହିଛନ୍ତି । ସୂଚନା ଯୋଗ୍ୟ; ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସରେ ଆଜି ସକାଳୁ ସେ ଫ୍ୟାନରେ ଝୁଲଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଓଢ଼ଣୀ ବନ୍ଧା ହୋଇଚି । ଏ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାପିଟାଲ ଥାନା ପୋଲିସ, ଛାତ୍ରୀଙ୍କ ପରିବାର ଏବଂ ତାଙ୍କର ଲୋକାଲ ଗାର୍ଡିଆନଙ୍କୁ ଖବର ଦେଇଥିଲେ । ପୋଲିସ ପହଁଚି ଲୋକାଲ ଗାର୍ଡିଆନଙ୍କ ଉପସ୍ଥିତିରେ ତାଙ୍କର ମୃତ ଦେହକୁ ଜବତ କରିଛି । ରୁମରୁ ଏକ ମୋବାଇଲ୍ ମଧ୍ୟ ଜବତ କରାଯାଇଛି । ତେବେ ଉତ୍କଳିକା ରହୁଥିବା ରୁମ୍ରେ ୩ ଜଣ ରହୁଥିବାବେଳେ ଅନ୍ୟ ୨ ଜଣ ଛୁଟିରେ ଗାଁକୁ ଯାଇଥିଲେ । କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । Post navigation ଆଖି ବୁଜିଲା ଶିମିଳିପାଳର ପୋଷା ହାତୀ ମହେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦,୦୦୦ ଟଙ୍କା ପେନସନ