ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ଏସଡିଜେଏମ୍ କୋର୍ଟ। ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୂଚାଲିକାରେ ମନୀଷଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିଲେ ମନୀଷ ଅଗ୍ରୱାଲ । ପୂର୍ବରୁ ମାଲକାନଗିରି ଏସଡିଜେଏମ୍ କୋର୍ଟ ତାଙ୍କୁ ବାରମ୍ବାର ସମନ ଜାରି କରିଥିଲେ ହେଁ ମନୀଷ ଅଗ୍ରୱାଲ କୋର୍ଟରେ ହାଜର ହୋଇନଥିଲେ । ଶେଷରେ ସୁପ୍ରିମକୋର୍ଟରୁ ଅଗ୍ରୀମ ଜାମିନ ନେଇ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ ମନୀଷ ଅଗ୍ରୱାଲ । ସୂଚନା ଯୋଗ୍ୟ, ୨୦୧୯ ଡିସେମ୍ବର ୨୭ରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ସନ୍ଦେହ ଜନକଭାବେ ନିଖୋଜ ହୋଇଯାଇଥିଲେ । ଦିନକ ପରେ ଡିସେମ୍ବର ୨୮ ତାରିଖରେ ମାଲକାନଗିରି ଉପଖଣ୍ଡ ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତ ଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଅଭିଯୋଗ କରିଥିଲେ । ଘଟଣାର ବର୍ଷକ ପରେ ଅର୍ଥାତ ୨୦୨୦ ନଭେମ୍ବରରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ତିନି ସହଯୋଗୀ, ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଥିଲା । ତେବେ ଚଳିତବର୍ଷ ଫେବୃୟାରୀ ୩ ତାରିଖରେ ଏସଜିଜେଏମ୍ କୋର୍ଟ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ବାରମ୍ବାର ସମନ ପରେ କୋର୍ଟରେ ହାଜର ନ ହେବାରୁ ଏନବିଡବ୍ଲ୍ୟୁ ଜାରି କରାଯାଇଥିଲା । ତେବେ ଓଡ଼ିଶା ହାଇକୋର୍ଟ ନିମ୍ନ ଅଦାଲତଙ୍କ NBW ଉପରେ ରୋକ୍ ଲଗାଇଥିଲେ । Post navigation ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଗୋଟିଏ ଦିନରେ ୨ଟି ବ୍ୟାଙ୍କ୍ ଲୁଟ୍; ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା