ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଢୋଲପିଟା ପ୍ରାଥମିକ ସେବା ସମବାୟ ସମିତିରେ ବସ୍ତାଏ ୟୁରିଆ ସାର ପାଇବା ପାଇଁ ଚାଷୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ସୋସାଇଟିରେ ଦୀର୍ଘ ଦିନ ପରେ ୟୁରିଆ ସାର ପାଇବା ପାଇଁ ଲୋକେ ଗୁରୁବାର ଭୋର ସମୟରୁ ଆସି ଗାଁ ଦାଣ୍ଡରେ ଆଧାର କାର୍ଡ, ଜମି ପଟା ଓ ଜରି ବ୍ୟାଗ ଧାଡିରେ ରଖି ଅପେକ୍ଷା କରିଥିଲେ । ଆଗ କିଏ ସାର ପାଇବ ତାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଲାଗିଥିଲା। ସମିତିରେ ୨୨୫ ପ୍ୟାକେଟ୍ ସାର ମହଜୁଦ୍ ଥିବା ବେଳେ ୫୦୦ରୁ ଅଧିକ ଚାଷୀ ଭିଡ଼ ଜମାଇବାର କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ଗୋଟିଏ ବସ୍ତା ସାର ପାଇଁ ଯେମିତି ଚାଷୀଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ପରେ ତାରସିଂ ପୁଲିସ ଉପସ୍ଥିତିରେ ସାର ବଣ୍ଟାଯାଇଥିଲା। ହେଲେ କମ୍ ଚାଷୀ ସାର ପାଇଥିବା ବେଳେ ଅଧିକ ଚାଷୀ ସାର ନପାଇ ଫେରି ଯାଇଛନ୍ତି। ଚଳିତ ବର୍ଷ ଭଞ୍ଜନଗର ଉପଖଣ୍ଡ ଅଧିନ ଭଞ୍ଜନଗର ଓ ଆସ୍କା କୃଷି ଜିଲ୍ଲା ଅଧିନରେ ଥିବା ୮ ଟି ବ୍ଲକରେ ୫୮ ହଜାର ୭୧୧ ହେକ୍ଟର ଜମିରେ ଧାନ ଏବଂ ୯୮ ହଜାର ୨୮୧ ହେକ୍ଟର ଜମିରେ ଅଣଧାନ ଚାଷ ନିମନ୍ତେ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥିପାଇଁ ୧୨ ହଜାର ୩୯୯ ମେଟ୍ରିକ ଟନ୍ ୟୁରିଆ, ୧୮ ଶହ ୨୨ ମେଟ୍ରିକ ଟନ୍ ଫସଫରସ, ୨ ହଜାର ୫୮ ମେଟ୍ରିକ୍ ଟନ୍ ଡି ଏପି, ୭୨୫ ମେଟ୍ରିକ ଟନ୍ ପଟାସ, ୧୭ ହଜାର ୭୧୭ ନାନୋ ୟୁରିଆ ବୋତଲ ଆବଶ୍ୟକତା ରହିଥିବା ବେଳେ ସାର ବିକ୍ରି ପାଇଁ ଉପଖଣ୍ଡର ପ୍ରାଥମିକ କୃଷି ସମବାୟ ସମିତି ଏବଂ ୫୦ ରୁ ଉର୍ଦ୍ଧ ଘରୋଇ ହୋଲସେଲର ଓ ରିଟେଲରଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ମାତ୍ର ପ୍ରାଥମିକ କୃଷି ସମବାୟ ସମିତି ଅପେକ୍ଷା ପ୍ରାଇଭେଟ୍ ଡିଲରଙ୍କୁ ଅଧିକ ସାର ଯୋଗାଇ ଦିଆଯାଇଛି। ରୁଆ ଓ ବେଉଷଣ ପରେ ୟୁରିଆ ସାରର ଆବଶ୍ୟକତା ଅଧିକ ରହିଛି । କିନ୍ତୁ ୟୁରିଆ ସାରର ଅଭାବ ଦେଖାଦେଇଛି। ସୋରଡ଼ାରୁ ଆସ୍କା, ବୁଗୁଡାରୁ ଭଞ୍ଜନଗର ସବୁଠି ବସ୍ତାଏ ସାର ପାଇଁ ଚାଷୀଙ୍କୁ ନାକେଦମ୍ ହେବାକୁ ପଡୁଛି। ଚାଷୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଢୋଲପିଟା ସମବାୟ ସମିତିକୁ ତିନି ଦିନ ପୂର୍ବେ ଏକ ଟ୍ରକ ସାର ଆଣି ବଣ୍ଟନ କରାଯାଉଥିଲା । ଖବର ପାଇ ୫୦୦ରୁ ଅଧିକ ଚାଷୀ ଆସି ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। କିନ୍ତୁ ୨୨୫ ପ୍ୟାକେଟ୍ ସାର ଆସିଥିଲା। ଯାହାକୁ ନେଇ ବୁଧବାର ହୋହଲ୍ଲା ହୋଇଥିଲା। ଗୁରୁବାର ପୁଣି ସାର ବଣ୍ଟନ ହେଉଥିବା ଶୁଣି ଆଖପାଖର ଚାଷୀ ଗାଁ ଦାଣ୍ଡରେ ନିଜ ନିର ଆଧାର କାର୍ଡ, ଜରି ବ୍ୟାଗ୍ ଓ ଚପଲ ପକାଇ ସାର ପାଇବା ପାଇଁ ଅପେକ୍ଷା କରି ରହିଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ ତାରସିଂ ପୁଲିସ ପହଞ୍ଚୁବା ପରେ ସାର ବଣ୍ଟନ କରାଯାଇଥିଲା। ହେଲେ ଅନେକ ଦୂରରୁ ଆସି ଦୀର୍ଘସମୟ ଧରି ଅପେକ୍ଷା କରି କିଛି ଚାଷୀ ସାର ନପାଇ ନିରାଶରେ ଫେରିଥିଲେ। ପ୍ୟାକ୍ସ ପାଇଁ ଆହୁରି ୭୦୦ରୁ ଅଧିକ ସାର ବସ୍ତାର ଆବଶ୍ୟକତା ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କିଛି ଚାଷୀଙ୍କ ସହ ଆଲୋଚନାବେଳେ ସେମାନେ କହିଛନ୍ତି, ବର୍ତ୍ତମାନ ଚାଷ ପାଇଁ ୟୁରିଆ ସାରର ଅଧିକ ଆବଶ୍ୟକତା ରହୁଛି। କିନ୍ତୁ ସମବାୟ ସମିତିରେ ସାର ମିଳୁନି। ଅନେକ ଦିନ ହେଲା ସେମାନେ ସାର ପାଇଁ ଅପେକ୍ଷା କରିଛନ୍ତି। ଯାହାର ସୁଯୋଗ ନେଇ କଳାବଜାର ବି ବଢ଼ିବାରେ ଲାଗିଛି। Post navigation ରାଜସ୍ୱ ଅଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ