ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ କରିଛି। ପୂର୍ବରୁ ଏଚସିଏର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଆଝାରୁଦ୍ଦିନଙ୍କ ଉପରେ ତାଙ୍କ କାର୍ଯ୍ୟକାଳରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । କଂଗ୍ରେସ ନେତାଙ୍କୁ ଏହା ହେଉଛି ପ୍ରଥମ ସମନ, ଯେଉଁଥିରେ ତାଙ୍କୁ ଆଜି ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବାକୁ ପଡିବ ।

ସୂଚନାଯୋଗ୍ୟ, ହାଇଦ୍ରାବାଦର ଉପାଲସ୍ଥିତ ରାଜୀବ ଗାନ୍ଧି କ୍ରିକେଟ ଷ୍ଟାଡିୟମ ପାଇଁ ଡିଜେଲ ଜେନେରେଟର, ଅଗ୍ନିଶମ ବ୍ୟବସ୍ଥା ଓ କ୍ୟାନୋପି କିଣିବା ପାଇଁ ଆବଣ୍ଟିତ ୨୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିବରଣୀ ଅନୁଯାୟୀ, ଏଚସିଏର ଅନୁରୋଧକ୍ରମେ କରାଯାଇଥିବା ଫରେନସିକ୍ ଅଡିଟରେ ମାର୍ଚ୍ଚ ୨୦୨୦ରୁ ଫେବ୍ରୁଆରୀ ୨୦୨୩ ମଧ୍ୟରେ ପାଣ୍ଠି ଅବ୍ୟବସ୍ଥା ଏବଂ ଘରୋଇ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଥିଲା। ଏହି ରିପୋର୍ଟ ପରେ ଏଚସିଏ ସିଇଓ ସୁନୀଲ କାନ୍ତି ବୋଷ ଅଭିଯୋଗ କରିଥିଲେ। ଆଝାରୁଦ୍ଦିନ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *