ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ନବମୀ । ଏ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ । ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ । ଆଜି ଶ୍ରୀରାମ ନବମୀ ପାଳନ ଏବଂ କଳଶ ଶୋଭା ଯାତ୍ରାକୁ ଦୃଷ୍ଟିରେ ରଖି ଡ୍ରାଏ ଡେ ଘୋଷଣା କଲା ପ୍ରଶାସନ । ରାମନବମୀ ପାଇଁ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ । ବାସୁଦେବପୁରରେ ସନ୍ଧ୍ୟାରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ୧୮ଟି ମେଢ଼ ସାମିଲ ହେବ । ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ନିଶା ବ୍ୟବସାୟ ଉପରେ ବ୍ଲକ୍ ପ୍ରଶାସନ କଟକଣା ଜାରି କରିଛି। ଓଡିଶା ଅବକାରୀ ଆଇନ, ୨୦୦୮ର ଧାରା ୨୬ର ଉପ-ଧାରା ୧ ଅନୁଯାୟୀ ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଆଇନ ଶୃଙ୍ଖଳା ବଜାୟ ରଖିବା, ଏହି ଉତ୍ସବର ପବିତ୍ରତା ବଜାୟ ରଖିବା ଏବଂ ମହୋତ୍ସବ ସମୟରେ ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ବୁଧବାର ଦିନ ବାସୁଦେବପୁର ଅଞ୍ଚଳର ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ, ହୋଟେଲ ଏବଂ ରେସ୍ତୋରାଁରେ ମଦ ବିକ୍ରି ବନ୍ଦ ରହିବ । ସେହିପରି ପୂର୍ବରୁ ଆମିଷ ବିକ୍ରି ପାଇଁ କଟକଣା ଲାଗୁ କରାଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୫ ପ୍ଲାର୍ଟୁନ ପୋଲସ ଫୋର୍ସ ମୁତୟନ କରାଯାଇଛି । ଏହି ନିଷ୍ପତ୍ତିକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି । ନିର୍ଦ୍ଦେଶର କଡ଼ାକଡ଼ି ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସାଳନ୍ଦୀ ଘାଟରୁ ଅପରାହ୍ନ ୧ ଟାରେ ଆରମ୍ଭ ହେବାକୁ ଥିବା ବିଶାଳ କଳଶ ଶୋଭା ଯାତ୍ରା ଏବଂ ଗାନ୍ଧୀ ଭୂମିରେ ପରବର୍ତ୍ତୀ ମହାଯଜ୍ଞ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଲକ୍ଷ ଲକ୍ଷ ଭକ୍ତ ଯୋଗଦେବାର ଆଶା କରାଯାଉଛି। ଜିଲ୍ଲା ପ୍ରଶାସନ ସମସ୍ତ ଲାଇସେନ୍ସଧାରୀ ଏବଂ ଜନସାଧାରଣଙ୍କୁ ଡ୍ରାଏ ଡେ ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି। ସମ୍ପୂର୍ଣ୍ଣ ପାଳନ ସୁନିଶ୍ଚିତ କରିବା ପାଇଁ ପୋଲିସ ଏବଂ ଅବକାରୀ ଅଧିକାରୀମାନେ ଯାଞ୍ଚ କରିବେ। Post navigation Ratna Bhandar Inventory: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି Malkangiri Bandh: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା