କେରଳର ୱାୟନାଡର ଭୂସ୍ଖଳନରେ ମୃତ୍ୟୁ ବରଣ କରିଥିବା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ରାସ୍ତା ବାଟେ ଅଣାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ ଦେହକୁ ସିଧା ବିମାନ ବ୍ୟବସ୍ଥା ନଥିବାରୁ ରାସ୍ତାବାଟେ ଆଣିଲୁ । ଓଡ଼ିଶାରୁ କୋଚିକୁ ସିଧା ବିମାନ ବ୍ୟବସ୍ଥା ନାହିଁ । ୱାୟନାଡ଼ରୁ ୯୦ କିମି କୋଚିକୁ ରାସ୍ତାବାଟେ ଆଣିବାକୁ ପଡ଼ିଥାନ୍ତା । କୋଚିରୁ ବେଙ୍ଗଲୁରୁ ଆଣି ସେଠାରୁ ପୁଣି ଏକ ଫ୍ଲାଇଟରେ ଆଣିବାକୁ ପଡ଼ିଥାନ୍ତା । ସେଥିପାଇଁ ଆମ୍ବୁଲାନ୍ସରେ ସଡ଼କ ପଥରେ ଅଣାଯାଉଛି

ସେ ଆଉ ମଧ୍ୟ କହିଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ ଦେହ ଓଡ଼ିଶାରେ ପହଞ୍ଚିବାକୁ ୩୦ ଘଣ୍ଟା ଲାଗିବ । ଏହା ସହ ମୃତ ଡାକ୍ତରଙ୍କ ପତ୍ନୀ ଡିସ୍‌ଚାର୍ଜ ପରେ ପରିବାର ଲୋକଙ୍କ ସହ ଫେରୁଛନ୍ତି । ଝାରସୁଗୁଡ଼ାର ଡାକ୍ତର ସ୍ବୀକୃତି ମହାପାତ୍ରଙ୍କ ଚିକିତ୍ସା ଜାରି ରହିଛି । ଫୁସ୍‌ଫୁସ୍‌ରୁ ପଶିଥିବା ମାଟି, କାଦୁଅ ୯୫ ପ୍ରତିଶତ କଢ଼ା ଯାଇଛି । ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କୁ ତଲାସ ଉଦ୍ୟମ ଚାଲିଛି ।

 

ସୂଚନଯୋଗ୍ୟ; ଗୋପ ଥାନା ଅଧୀନ କୁଆଁପଡ଼ା ପଞ୍ଚାୟତ ପରାଳଗାଁର ବିଷ୍ଣୁ ପ୍ରସାଦ ଚିନାରା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମେଡିସିନ ବିଭାଗରେ ପିଜି କରୁଥିଲେ। ଜନ୍ମଦିନ ପାଳନ କରିବାକୁ ସେ ପତ୍ନୀ ପ୍ରିୟଦର୍ଶିନୀ ପାଲ , ବନ୍ଧୁ ସ୍ବାଧୀନ ପଣ୍ଡା ଏବଂ ସ୍ବାଧୀନଙ୍କ ବାନ୍ଧବୀଙ୍କ ସହିତ ୨୬ ତାରିଖ ଦିନ କେରଳ ଯାଇଥିଲେ। ୱାୟନାଡରେ ପହଞ୍ଚି ଏକ ଘରୋଇ ହୋଟେଲରେ ସେ ରାତ୍ରିଯାପନ କରିଥିଲେ। ୩୦ ତାରିଖ ରାତିରେ ହଠାତ୍ ପାହାଡ଼ ଭୂସ୍ଖଳନ ହେବାରୁ ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ପ୍ରିୟଦର୍ଶିନୀଙ୍କ ଜୀବନ ବଞ୍ଚିଯାଇଥିଲା । ଏବେ ତାଙ୍କ ମୃତ ଦେହକୁ ରାସ୍ତା ବାଟେ ଓଡ଼ିଶା ଅଣାଯାଉଛି ।

Leave a Reply

Your email address will not be published. Required fields are marked *