ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଚସ୍ତରୀୟ ବୈଠକ ପରେ ଦୀଘା ଜଗନ୍ନାଥ ‘ଧାମ’ ନାମକରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ । ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ଠାରେ ଏପରି ନାମକରଣ ହୋଇନି ।

କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ ବୋଲି ପୂର୍ବରୁ ମୁଁ ଏବଂ ଜଗତଗୁରୁ ମତପ୍ରକାଶ କରିଛୁ । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି । ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେନେଇ ରାଜ୍ୟ ସରକାର ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି । ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି ।କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରି ନାହାନ୍ତି ବୋଲି କହିଛନ୍ତି ପୁରୀ ଗଜପତି ।

ସେହିପରି ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ଗଜପତି। ସାରା ବିଶ୍ବରେ ଗୋଟିଏ ଦିନରେ ରଥଯାତ୍ରା ହେବା ଆବଶ୍ୟକ । ଇସ୍କନ ଭାରତ ଭିତରେ ଗୋଟିଏ ଦିନରେ ରଥଯାତ୍ରା ପାଇଁ ରାଜି ଅଛି ।ଏନେଇ ଆମେ ଇସ୍କନ ମୁଖ୍ୟାଳୟ ମାୟାପୁରୀକୁ ଅବଗତ କରି ସାରିଛୁ । ଏନେଇ ଦୁଇ ଧର୍ମୀୟ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି। ଆପୋଷ ଆଲୋଚନା ଜରିଆରେ ଦ୍ବନ୍ଦ୍ବ ଦୂର ନେଇ ଆଶାବାଦୀ ।

Leave a Reply

Your email address will not be published. Required fields are marked *