ବନମାଳୀ ଦାସଙ୍କ ଅତି ଲୋକପ୍ରିୟ ଗୀତର ପ୍ରଥମ ଧାଡିଟି ଥିଲା ‘କି ଦେଖିଲା ଆଜ ନେତ୍ର ସଜନୀ’। ୟା’କୁ ଟିକିଏ ବଦଳେଇ ଦେଲେ ହବ କି ଶୁଣିଲା ଆଜ କର୍ଣ୍ଣ ରେ ସାଙ୍ଗ’। ଏମିତି କଥା ଆମ କାନରେ ପଡ଼ିଚି ଯେ, ବିଶ୍ବାସ କରି ହଉନାହିଁ ସତରେ ଏମିତି କହିଲେ ସେ ! ଏହାର କାରଣ ବି ଅଛି । କେବଳ ଆମେ କାହିଁକି ସେ ଜାଗାରେ ଯେତେଜଣ ଥିଲେ ସମସ୍ତେ ବିଶ୍ଵାସ କରି ପାରିଲେ ନାହିଁ ଯେ ଅପରାଜିତା ସତରେ ଏମିତି କହୁଚନ୍ତି ? ମୁଖ୍ୟମନ୍ତ୍ରୀ ମୋହନ ବାବୁ ଯାଇଥିଲେ ଦିଲ୍ଲୀ । ସେତେବେଳେ ମନମୋହନ ବି ଥିଲେ ଦିଲ୍ଲୀରେ । ଗୋଟିଏ ବୈଠକ ଆୟୋଜନ ହେଲା ବଲାଙ୍ଗିର ସାଂସଦ ସଂଗୀତାଙ୍କ ବାସଭବନରେ । କେବଳ ଅଶ୍ୱିନୀଙ୍କୁ ଛାଡି ଦେଲେ ବାକି ୨୨ ଜଣ ସାଂସଦ ଥିଲେ ବୈଠକରେ । ଦୁଇମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ଓ ଜୁଏଲ ବି ଥିଲେ ସେଠି । ମୋହନ ଓ ମନମୋହନ ବି ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ସବୁ ସାଂସଦ ଏକାଠି ହବା ବଡ଼ ରାଜନୈତିକ ଘଟଣା ଥିଲା । ଏମିତି ଏକ ବୈଠକର ଆବଶ୍ୟକତା ବି ଥିଲା। କିନ୍ତୁ ସମସ୍ତଙ୍କ ଆଖି ଓ କାନ ଟେରା ହେଇଗଲା ଅପରଜିତଙ୍କ ଉଦ୍ବୋଧନୀ ଭାଷଣ ଶୁଣି। ଅପରାଜିତା କାର୍ପଣ୍ୟ ନକରି ବାବୁ ଧର୍ମେନ୍ଦ୍ରଙ୍କୁ ଟେକିଟାକି ଆକାଶରେ ଥୋଇଦେଲେ । ଏତେ ପ୍ରଶଂସା କଲେ ଯେ, ନିଜେ ଧର୍ମେନ୍ଦ୍ର ବାବୁ କୁଆଡ଼େ ନିଜ ଦିହକୁ ଚିମୁଟି ପରୀକ୍ଷା କରୁଥିଲେ ଯେ, ସେ ଜାଗ୍ରତ ନା ସ୍ବପ୍ନ ଦେଖୁଚନ୍ତି । ଅବଶ୍ୟ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କର ବି ଉଚ୍ଚ ପ୍ରଶଂସା କଲେ। ଅପରାଜିତା କେବେ ବି ସମସ୍ତଙ୍କ ସାମ୍ନାରେ ଧର୍ମେନ୍ଦ୍ରଙ୍କର ପ୍ରଶଂସା କରୁ ନଥିଲେ । ଅବଶ୍ୟ ନିର୍ବାଚନ ଆସିଲେ ବୁଝାମଣା କରୁଥିଲେ । କିନ୍ତୁ ଟେକାଟେକି କରିବା କେହି ଶୁଣି ନଥିଲେ । ଏମିତି ମନ ପରିବର୍ତନ ହେଲା କିଆଁ ? ସିଏମ୍ ଙ୍କ ଆଗରେ ଧର୍ମେନ୍ଦ୍ରଙ୍କୁ ଟେକିଲେ ଓ ଧର୍ମେନ୍ଦ୍ରଙ୍କ ଆଗରେ ସିଏମ୍ ଙ୍କୁ। ଅପରାଜିତାଙ୍କ ଦେଖାଦେଖ୍ ସମସ୍ତେ ସେହି ଧାରାରେ ଟେକାଟେକି କଲେ। କିନ୍ତୁ ନିନ୍ଦୁକମାନଙ୍କ ତୁଣ୍ଡରେ କିଏ ତୁଣ୍ଡି ବାନ୍ଧିବ ? ସେମାନେ ଚର୍ଚ୍ଚା ଆରମ୍ଭ କରିଦେଲେଣି ଯେ, ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ସନ୍ତୋଷଙ୍କୁ କେମିତି ବସେଇ ହବ ସେ ଦିଗରେ ଅପରାଜିତା ଏହି ଡବଲ ଥୋପ ପକାଇଚନ୍ତି । ଆହୁଜାଙ୍କ ପରେ ଷଡ଼ଙ୍ଗୀଙ୍କୁ ସେ ସ୍ଥାନରେ ବସାଇବା ପାଇଁ ଏଭଳି ଯୁଗଳବନ୍ଦନା ବୋଲି ଚର୍ଚ୍ଚା ହଉଚି । କେତେ ସତ କେତେ ମିଛ ତାହା ପ୍ରଭୁ ଜଗନ୍ନାଥ ଜାଣନ୍ତି । ଆମେ ଯାହା ଶୁଣିଲୁ, ଲେଖୁଲୁ। Post navigation ପେଟ ପାଇଁ ଦାଦନ ଯିବେ ଲକ୍ଷାଧିକ ଚାଷୀ ଭୁବନେଶ୍ବରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ