ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଦାବି ଉଠିଛି । ସଂସଦ ଭବନ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ଦାବି କରାଯାଇଛି। ଉତ୍କଳ ସମ୍ମିଳନୀ ରାଷ୍ଟ୍ରପତିଙ୍କ ନିକଟରେ ଏହି ଦାବି କରିଛି। ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଡକ୍ଟର ଅଦ୍ୱୈତ କୁମାର ପାତ୍ର ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି।

ଦାବିପତ୍ରରେ ଦର୍ଶାଯାଇଛି ଯେ, ସମାଜକୁ ଆଧୁନିକ ଓଡ଼ିଶାର ନିର୍ମାତା ମଧୁସୂଦନ ଦାସଙ୍କ ଅବଦାନ ଅବର୍ଣ୍ଣନୀୟ। ୧୯୨୩ରେ ମଧୁବାବୁଙ୍କ ଯୁକ୍ତି ଆଧାରରେ ମହିଳାଙ୍କୁ ସମାନ ଅଧିକାର ଦିଆଯିବା ପାଇଁ ସେଣ୍ଟ୍ରାଲ ଲେଜିସଲେଚରରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାଦ୍ୱାରା ଆଇନଜୀବୀ ଆଇନ ସଂଶୋଧିତ ହେବା ସହ ଭାରତରେ ମହିଳାମାନେ କୋର୍ଟରେ ଆଇନଜୀବୀ ଭାବେ କେସ ଲଢିବାର ସୁଯୋଗ ପାଇଥିଲେ। ୧୯୨୩ରେ ବିହାର ଓ ଓଡିଶା ସ୍ୱାୟତ୍ତ ଶାସନ ଆଇନ ଅଣାଯିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଓଡ଼ିଆ ଜାତିର ପ୍ରାଣ, ଓଡ଼ିଆଙ୍କ ଗର୍ବ ଓ ଗୌରବ ଉତ୍କଳ ଗୌରବ ମଧୁସୂଦନ ଦାସ। ଓଡ଼ିଆଙ୍କ ପାଇଁ ତାଙ୍କ ମନରେ ଦରଦ ଭରି ରହିଛି। ଓଡ଼ିଶାବାସୀଙ୍କ ସେବା ପାଇଁ ସର୍ବଦା ଉଦ୍ୟମରତ ଥିଲେ। ସେହିପରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ଥିଲେ ମୁଖ୍ୟ ପୁରୋଧା। ତାଙ୍କର ସଂଘର୍ଷ ପାଇଁ ଆଜି ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Leave a Reply

Your email address will not be published. Required fields are marked *