ଦିଲ୍ଲୀ ହାଇକୋର୍ଟରୁ ପ୍ରସିଦ୍ଧ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏକ ସପ୍ତାହରୁ ଅଧିକ ସମୟ ଧରି ତିହାର ଜେଲରେ ବନ୍ଦୀ ଥିବା ଏହି ଅଭିନେତାଙ୍କୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି।

ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି । କୋର୍ଟ କହିଥିଲେ ଯେ, ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ । ଯଦି ବିଫଳ ହୋଇଥାନ୍ତା, ତେବେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ଫେବୃଆରୀ ୧୭ ତାରିଖରେ ଘୋଷଣା କରାଯିବ ।

ଅଭିନେତା ଆଜି ଡିଡି ଦାଖଲ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ଧାର୍ଯ୍ୟ କରାଯାଇଛି । ରାଜପାଲଙ୍କ ଜାମିନ ଆବେଦନ ତାଙ୍କ ଭାଣେଜିଙ୍କ ବିବାହରେ ଯୋଗଦେବା ପାଇଁ ଦାଖଲ କରାଯାଇଥିଲା, ଯାହା ଫେବୃଆରୀ ୧୯ ତାରିଖରେ ହେବାକୁ ଯାଉଛି।

୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲା ଯୋଗୁଁ ରାଜପାଲ ଯାଦବ ଜେଲରେ ଅଛନ୍ତି । ଅଭିନେତାଙ୍କୁ ୫ ତାରିଖରେ ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଥିଲା, ଯାହା ପରେ ସେ ଜାମିନ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *