ଅପରେସନ ସିନ୍ଦୂର ସଫଳତା ପରେ INS ବିକ୍ରାନ୍ତ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଗୋଆରେ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଭେଟିଛନ୍ତି  ରାଜନାଥ ସିଂ। ନୌସେନା ଯୋଦ୍ଧାଙ୍କୁ ସମ୍ବୋଧନ କରିବା ସହ ପାକିସ୍ଥାନକୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେ କହିଛନ୍ତି ପଡ଼ୋଶୀ ଦେଶ ପୁଣିଥରେ ନିଜ ଭୁଲ ଦୋହରାଇଲେ ବଞ୍ଚିବାକୁ ଦେବୁନାହିଁ ସୁଯୋଗ । କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା ।

ପ୍ରତିରକ୍ଷାମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯଦି ପାକିସ୍ତାନ କିଛି ମୂର୍ଖାମୀ କରେ ତେବେ INS ବିକ୍ରାନ୍ତ ଏହାର ଯୁଦ୍ଧପୋତ ସହ ଗ୍ରାଉଣ୍ଡକୁ ମଧ୍ୟ ଟାର୍ଗେଟ କରିବ। ପାକିସ୍ତାନ ଏହା ମନେରଖୁ ଯେ ଯଦି ଗୋଟିଏ ପଟେ ଆମର ନୌସେନା ସମୁଦ୍ର ପରି ଶାନ୍ତ ହୋଇଥାଏ, ଅନ୍ୟପଟେ ଏହା ସମୁଦ୍ର ପରି ସୁନାମୀ ମଧ୍ୟ ଆଣିପାରେ ।

ଏହା ସହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ହାଫିଜ୍ ସୟିଦକୁ ତୁରନ୍ତ ହସ୍ତାନ୍ତର କରୁ ପାକିସ୍ତାନ । ଆତଙ୍କବାଦୀ ହାଫିଜ୍ ସୟିଦ ଓ ମାସୁଦ ଆଜହରକୁ ପାକିସ୍ତାନ ହସ୍ତାନ୍ତର କରୁ । କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ଉଭୟ ଅଛନ୍ତି । ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର୍ ରାଣାକୁ ନିକଟରେ ଭାରତ ଅଣାଗଲା । ଯଦି କଥାବାର୍ତ୍ତା ପାଇଁ ପାକିସ୍ତାନ ଆଗ୍ରହୀ, ତେବେ ହାଫିଜ ଓ ମାସୁଦକୁ ପ୍ରଥମେ ଦିଅ । ଅପରେସନ ସିନ୍ଦୂର ଶେଷ ହୋଇନି, କେବଳ ସ୍ଥଗିତ ରଖାଯାଇଛି । ଯଦି ପୁଣି ଥରେ ପାକିସ୍ତାନ ସମାନ ଭୁଲ୍ କରେ, ଆହୁରି କଡ଼ା ଜବାବ ଦିଆଯିବ ।

ସୂଚନା ଯୋଗ୍ୟ; INS ବିକ୍ରାନ୍ତ ଭାରତୀୟ ସେନାର ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ । ଏହାର ନିର୍ମାଣ କୋଚିରେ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ, ୨୦ ହଜାର କୋଟି ଟଙ୍କା । ଏଥିରେ ୭୫% ସ୍ବଦେଶୀ ସାମଗ୍ରୀ ଉପଯୋଗ ହୋଇଛି । ଏହାକୁ ସମୁଦ୍ରର ରାଜା ବୋଲି କୁହାଯାଉଛି । ଏହାର ଡେକରେ ମିଗ-୨୯ କେ ଫାଇଟର ଜେଟସ, କାମୋବ ହେଲିକପ୍ଟର ଏବଂ ସ୍ବଦେଶୀ ଲଢୁଆ ବିମାନ ରହିପାରେ ।

Leave a Reply

Your email address will not be published. Required fields are marked *