ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ବିଧାନସଭା ଭୋଟ୍‌ ହେବାକୁ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ଭୋଟ ଗ୍ରହଣ । ଲୋକମାନେ ନଭେମ୍ବର ୨୦ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନଭେମ୍ବର ୨୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ଯାଏ ଚାଲିବ।  ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।।

 

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମୋଟ୍ ୧,୦୦,୧୮୬ ପୋଲିଂ ଷ୍ଟେସନ ହେବ। ୯ କୋଟିରୁ ଅଧିକ ଲୋକ ଏଠାରେ ମତାଧିକାର ସାବ୍ୟସ୍ତ କରିବେ। ଏହି ପୋଲିଂ ଷ୍ଟେସନଗୁଡ଼ିକ ମୋଟ ୫୨,୭୮୬ଟି ସ୍ଥାନରେ ତିଆରି କରାଯିବ। ଗ୍ରାମାଞ୍ଚଳରେ ୫୭,୫୮୨ ଓ ସହରାଞ୍ଚଳରେ ୪୨,୬୦୪ଟି ପୋଲିଂ ବୁଥ କରାଯିବ।

ସେହିପରି ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି।

ଦୁଇଟି ଯାକ ରାଜ୍ୟରେ ଭୋଟ ଗଣତି ଓ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିବା କ୍ଷଣି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି।

Leave a Reply

Your email address will not be published. Required fields are marked *