ସିଏମ ମୋହନ ଚରଣ କମ ରାଗନ୍ତି । ଲୋକଙ୍କ ସହ ମିଶନ୍ତି । ଅଳପଅଳପ ହସନ୍ତି । ରାଗିଗଲେ କଡା ଦି’ପଦ କଥା ଶୁଣେଇ ଦିଅନ୍ତି । ଲୋକଙ୍କ ସହ ମିଶିବା ଓ କଥା କହିବା ତାଙ୍କର ଏକ ଭଲ ଅଭ୍ୟାସ। ରାଗିବାର ହେଇଥିଲେ ସିଏମ ହବା ପରେ ସେଠୀ ଥାନାବାବୁଙ୍କୁ କଉଁ ଅପନ୍ତରା ଜାଗାକୁ ପଠାଇ ଦେଇଥାନ୍ତେ। ୟା’ଙ୍କ ଜାଗାରେ ନବୀନ ବାବୁଙ୍କୁ ଯଦି ଥାନା ଭିତରେ ସେଠୀ ବାବୁ ଅଭଦ୍ର ଆଚରଣ କରିଥାନ୍ତେ, ତେବେ କେନ୍ଦୁଝର ସଦର ଥାନାର ଆଇଆଇସିଙ୍କ ଘରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ମିଶିକି ପଶିଯାଇ ଘଣେଇ ପକେଇଥାନ୍ତେ । ବାବୁଙ୍କ ହାତରେ ପଡିଥାନ୍ତା କଡ଼ା, ଯାଇଥାନ୍ତେ ଝାରପଡା । କିନ୍ତୁ ମୋହନ ବାବୁ ସେଇଆ କରିନାହାଁନ୍ତି । ଅବଶ୍ୟ ସେ ସିଏମ ହବା ପରେ ସେଠୀ ବାବୁଙ୍କର ବଦଳି ହେଇଚି। ଜଣେ ଜନପ୍ରତିନିଧ୍ଙ୍କୁ ଯଉଁଭଳି ବ୍ୟବହାର କଲେ ତତ୍କାଳୀନ ଆଇଆଇସି, ସେ କଦାପି କ୍ଷମା ଯୋଗ୍ୟ ନୁହଁନ୍ତି । କିନ୍ତୁ ବଡପଣରେ ମୋହନ ତାଙ୍କୁ କ୍ଷମା କରିଦେଇଚନ୍ତି।

ଏବେ କିନ୍ତୁ ମୋହନ ପୁଣି ଥରେ ରାଗିଚନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେହି ରାଗର ଆକସନ୍ ଜଣାପଡିନି । ବାଲିଯାତ୍ରା ଉଦଘାଟନ ଦିନର କଥା । ମୋହନ ବାବୁ ଯାଇଥିଲେ କଟକ। ବାଲିଯାତ୍ରା ଉତ୍ସବର ଆୟୋଜକ ମୁଖ୍ୟ ଥିଲେ ଜିଲାପାଳ ଭାଉ ସିନ୍ଦେ । ସିନ୍ଦେ ଟିକିଏ ବୋଧେ ପଦ୍ମ ବିରୋଧୀ। ଇଏ ବାବୁ ଯେତେବେଳେ ବାଲେଶ୍ବର ଜିଲାପାଳ ଥିଲେ, ରାଜ୍ୟରେ ଶଙ୍ଖ ସରକାର ଥିଲା, ସେତେବେଳେ ସାଂସଦ ଷଡଙ୍ଗୀ ନନାଙ୍କୁ ସରକାରୀ ଉତ୍ସବକୁ ଡାକି ଅପମାନ ଦେଇଥିଲେ। ନନା ତ ଛାଡିବା ଲୋକ ନୁହଁନ୍ତି । ବୋବାଲ କଲେ। କିନ୍ତୁ ସିନ୍ଦେ କ’ଣ ଜାଣିଥିଲେ ଯେ, ଶଙ୍ଖ ସରକାର ଯାଇ ପଦ୍ମ ସରକାର ଆସିବ ? ସରକାର ସିନା ବଦଳିଚି, ସିନ୍ଦେ ବାବୁଙ୍କ ମତିଗତି ବଦଳିନି। ଭାବିନେଇଥ‌ିବେ ଆଦିବାସୀ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କ ସାଙ୍ଗରେ ବେଟେରି କାରରେ ବସାଇ ଦେଲେ କିଛି କହିବେ ନାହିଁ । ତାହା ହିଁ କଲେ ।

ମଣ୍ଡପକୁ ନବା ପାଇଁ ପ୍ରଦୂଷଣମୁକ୍ତ ବେଟେରି କାର କରାଯାଇଥିଲା । ଗୋଟିଏ କାରରେ ଅଟୋବାଲା ଯାତ୍ରୀ ବସାଇଲା ପରି ସମସ୍ତଙ୍କୁ ବସାଇ ଦିଆଗଲା। ସିଏମଙ୍କ ପାଇଁ ଅଲଗା କାର କରାଯାଇପାରିନଥାନ୍ତା କି ? ସିନ୍ଦେଙ୍କର ସିଏମଙ୍କ ପ୍ରତି ସମ୍ମାନ ଥିଲେ ସିନା ! ଏତେ ଲୋକ ଭର୍ଜି ହେଇଥିଲେ ଯେ, କାର କୁଆଡେ ଗଢିଲାନି । ବିରକ୍ତ ଓ କ୍ରୋଧୂତ ମୋହନ କାରରୁ ଓହ୍ଲାଇ ଚାଲିଚାଲି ଗଲେ। ଏପର୍ଯ୍ୟନ୍ତ ମୁଣ୍ଡ ଗଡିନି ଯାହା । ନବୀନ ବାବୁ ହେଇଥିଲେ ତାଙ୍କୁ ଏମିତି ବ୍ୟବହାର ପ୍ରଶାସନ କରିଥାନ୍ତା କି ?

ସବୁ ଦୋଷ ମୋହନଙ୍କର । ବାଛି ବାଛି ସବୁ ପାଣ୍ଡିଆନପନ୍ଥୀ ଅଧିକାରୀଙ୍କୁ ଏବେ ସୁଦ୍ଧା କାହିଁକି ମୁଣ୍ଡାଇଚନ୍ତି ଯେ? ସିନ୍ଦେଙ୍କୁ କଟକ ପରି ଜାଗାକୁ ଆଣିବା ନିଷ୍ପରି ପଛରେ କିଏ ? ଆଗେ ତାଙ୍କୁ ହିଁ ଧରନ୍ତୁ ମୋହନ।

Leave a Reply

Your email address will not be published. Required fields are marked *