ଆଜି ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିଷଦ ନଭେମ୍ବର ମାସରେ ଗଠିତ ହୋଇଥିଲା । ଏହାର କାର୍ଯ୍ୟକାଳ ଦୁଇ ବର୍ଷ ରଖାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନଜାତି ମାନଙ୍କୁ ସବୁ କ୍ଷେତ୍ରରେ ନ୍ୟାୟ ମିଳିବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ହୋଇ କାମ କରୁଛନ୍ତି । ଏହି ନୂତନ ପରିଷଦରେ ଆଗାମୀ ୨ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଓ.ଆର୍. ଭି ଆଇନରେ ଅନୁସୂଚିତ ଜନଜାତି ଓ ଜାତି ପିଲାମାନେ ଯେପରି ନ୍ୟାୟ ପାଇବେ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଜନଜାତି ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ପରିଷଦର ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନର ନିୟମାବଳୀ-୨ ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଥିଲା । ତେବେ ଜନଜାତି ଲୋକମାନେ ସେମାନଙ୍କର ବିଭିନ୍ନ ଜରୁରୀ କାମ, ଯେପରି ବିବାହ, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା ବ୍ୟବସାୟ ଆଦି କାମରେ ଋଣ ପାଇପାରିବେ, ସେଥିପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ବୈଠକରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାବ୍ୟତୀତ ଅନ୍ୟାନ୍ୟ ଜନଜାତି ଭାଷାକୁ ଅଷ୍ଟମ ଅନୁଛେଦରେ ସ୍ଥାନିତ କରିବା ପାଇଁ ଆଲୋଚନା ହୋଇଥିଲା । ପେସା [Panchayats (Extension to Schedule Areas) Act, ୧୯୯୬] ଆଇନର କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ (Draft Odisha PESA Rules) ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଜନଜାତି ମାନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳନ କରି ସାରା ଦେଶରେ ଆଦିବାସୀଙ୍କ ବିକାଶ ପାଇଁ ୬୬୪୦ କୋଟି ଟଙ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେହିପରି ‘ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ’ ରେ ଓଡିଶାର ୨୭ଟି ଜିଲ୍ଲାର ୭,୬୬୭ଟି ଆଦିବାସୀ ବହୁଳ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ୧୦ ଲକ୍ଷ ୮୦ ହଜାରରୁ ଅଧିକ ଜନଜାତି ପରିବାର ଉପକୃତ ହେବେ । ସେହିପରି ପିଏମ୍ ଜନମନ୍ ଯୋଜନାରେ ଓଡିଶାର ୧୪ଟି ଜିଲ୍ଲାର ୧୩ଟି ବର୍ଗର ପିଭିଟିଜି ମାନେ ଉପକୃତ ହେଉଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ଜନଜାତି ମାନଙ୍କ ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି । ଅନୁସୂଚିତ ଜନଜାତି ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ । ସେହିପରି ସହିଦ୍ ଲକ୍ଷ୍ଣଣ ନାୟକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୭୦୫ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । Post navigation ଚୂଡାନ୍ତ ପର୍ଯ୍ୟାୟରେ ‘ପ୍ରବାସୀ ଭାରତୀୟ ଦିବସ’ ପ୍ରସ୍ତୁତି; ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ସମୀକ୍ଷା ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼; ବ୍ୟାରିକେଡ଼ ଭାଙ୍ଗିଲେ ଶ୍ରଦ୍ଧାଳୁ