ଆସନ୍ତା ୨୬ ତାରିଖରେ ଜନ ଜାଗରଣ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ବିଜେଡି ଗାନ୍ଧୀଙ୍କ ପଥରେ ଚାଲୁଛି । ଟାଟା ପାୱାରର ମନମାନି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଟାଟା ପାୱାରକୁ ଓଡ଼ିଶାରୁ ବିଦା କରିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ କରିବ ।

ଟାଟା ପାୱାରର ଦମନ ନୀତି ଯୋଗୁଁ ଓଡ଼ିଶାର ସାଧାରଣ ଉପଭୋକ୍ତା ନିରନ୍ତର ଭାବେ ଶୋଷଣର ଶିକାର ହେଉଛନ୍ତି । ଅଯୁକ୍ତିସଂଗତ ବିଲ୍, ଅତିରିକ୍ତ ସୁରକ୍ଷା ବିମା ଦେୟ, ଓ ଜବରଦସ୍ତି ଆଦାୟ ନୀତି ଯୋଗୁଁ ଜନସାଧାରଣ ଆର୍ଥିକ ଚାପରେ ରହୁଛନ୍ତି ।

ଟାଟାର ଏହି ମାରଣ ନୀତି ବିରୋଧରେ ଆସନ୍ତା ୨୬ ଡିସେମ୍ବରରେ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା ଅଫିସରୁ ସାଧାରଣ ସଭା ହେବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । କମ୍ପାନୀ ଅତିରିକ୍ତ ସୁରକ୍ଷା ବିମା ରାଶି ପ୍ରତ୍ୟାହାର ନକଲେ ୨୯ ତାରିଖରେ ରାଜ୍ୟରେ ଥିବା ସମସ୍ତ ବିଜୁଳି ବିଭାଗ ଅଫିସକୁ ଘେରାଉ କରାଯିବା ସହ ବିଶାଳ ଜନ ଆନ୍ଦୋଳନ କରାଯିବ । ସରକାର ଓଡ଼ିଶାର ଜନସାଧାରଣଙ୍କ ସାଥିରେ ଛିଡ଼ା ହୁଅନ୍ତୁ ଓ ପଦକ୍ଷେପ ନିଅନ୍ତୁ ଏବଂ ଟାଟା ପାୱାରକୁ ବିଦା କରାଯାଉ ନହେଲେ ଆଇନ୍ ଅମାନ୍ୟ ଆନ୍ଦୋଳନ ହେବ । ନ୍ୟାୟ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଜନତାଙ୍କ ସାଙ୍ଗରେ ଛିଡ଼ା ହୋଇ ଆନ୍ଦୋଳନ ଜାରି ରଖିବ । ଜନହିତ ହିଁ ଆମର ପ୍ରଥମ ପ୍ରାଥମିକତା ।

ଏହା ପୂର୍ବରୁ ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ବୋଝ ହଟେଇବା ଦାବିରେ ଭୁବନେଶ୍ବର ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲା ବିଜୁ ଜନତା ଦଳ । ଟାଟା ପାୱାର ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି କହିଥିଲା।

Leave a Reply

Your email address will not be published. Required fields are marked *