Congress slams Manmohan Samal over Chandabali rape and murder case
ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । ବିଜେପି ସଭାପତି ମନ ମୋହନ ସାମଲ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
 
ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଥିଲେ ଯେ, କଂଗ୍ରେସ ସବୁବେଳେ ନାରୀ ସୁରକ୍ଷା ଉପରେ ଆନ୍ଦୋଳନ କରୁଛି ।
 
ବିଧାନସଭାରେ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ପିସିସି ସଭାପତି ନାରୀ ସୁରକ୍ଷାକୁ ନେଇ ସଦାବେଳେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଓ ରାଜରାସ୍ତାକୁ ଓଲ୍ହାଉଛନ୍ତି । ସରକାର କିନ୍ତୁ ଆଦୌ ସଚେତନ ନୁହନ୍ତି । ୧୫ ମାସ ଭିତରେ ସବୁଠୁ ବେଶୀ ନାରୀ ନିର୍ଯ୍ୟାତନା ଘଟିଛି । ମୋଟ ଯୌନ ନିର୍ଯ୍ୟାତନା ମାମଲା ୯୧୮୧, ୮୨୨୭ ଅପହରଣ, ୫୪୬୪ ଅଣ ଯୌତୁକ ନିର୍ଯ୍ୟାତନା ହୋଇଛି । ମାଲକାନଗିରି, ଧଉଳି ଏବଂ ବର୍ତ୍ତମାନ ଚାନ୍ଦବାଲିରେ ଜଣେ ଦଶ ବର୍ଷର ତୃତୀୟ ପଢ଼ୁଥିବା ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟିଛି । ଏହା ଅତ୍ୟନ୍ତ ବେଦନାଯୁକ୍ତ । କୌଣସି ଦୁଷ୍କର୍ମ ଅପରାଧୀ ଦଣ୍ଡ ପାଉ ନାହାନ୍ତି ।
 
ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଥିଲେ, ଚାନ୍ଦବାଲି ଦୁଷ୍କର୍ମ ହୃଦୟ ବିଦାରକ । ଦୁଷ୍କର୍ମ କଲାପରେ ମୁଣ୍ଡକୁ ପଥରରେ ଅପରାଧୀ ଛେଚି ଦେଇଥିଲା । ଖୋଦ ବିଜେପି ସଭାପତି ମନ ମୋହନ ସାମଲଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ଅବସ୍ଥା ଏଇୟା । ଦୀର୍ଘ ୧୨ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ନାହାନ୍ତି । ଆଇଆଇସି ଚୋରା ମଦର କଣ୍ଟ୍ରୋଲ ରୁମ ଖୋଲିଛନ୍ତି । ଅବାଧ ନିଶାଦ୍ରବ୍ୟ କାରବାର ଚାଲିଛି । କଂଗ୍ରେସର ଦାବୀ ପୀଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ଆଇଆଇସିଙ୍କୁ ଦଣ୍ଡିତ କରାଯାଉ । କଂଗ୍ରେସ ଓ ଲୋକଙ୍କ ଚାପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି କିନ୍ତୁ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ।
 
ପିସିସି ସାଧାରଣ ସମ୍ପାଦକ ମଧୁସ୍ମିତା ସେଠୀ କହିଥିଲେ ଯେ, ୨୮ ହଜାର ନାରୀ ଅତ୍ୟାଚାର ମାମଲା ବର୍ତ୍ତମାନ ୨୦୨୪/୨୫ ରେ ୪୧ ହଜାରରେ ପହଞ୍ଚିଛି । ରାଜ୍ୟରେ ଖୋଦ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ତରଳୁ ନାହିଁ । ଆମେ ପ୍ରତିବାଦ କରୁଛୁ ତଥାପି ସରକାର କିମ୍ବା ମନ୍ତ୍ରୀ ଉତ୍ତରଦାୟିତ୍ୱ ନେଉ ନାହାନ୍ତି । ଶୂନ୍ୟ ସହନଶୀଳତା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କିନ୍ତୁ କଣ ନାରୀ ଅତ୍ୟାଚାର, ଦୁଷ୍କର୍ମ ଆଦି ଘଟଣାରେ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡିଛି ।
 
କଂଗ୍ରେସ ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଥିଲେ, ସରକାର ବର୍ତ୍ତମାନ ଜନତାଙ୍କ ପାଇଁ ଧୂତରାଷ୍ଟ୍ର ସାଜିଛି, କୁରୁସଭାରେ ଲୋକଙ୍କ ପାଇଁ ନ୍ୟାୟ ଚାଲିଛି, ଛୋଟ ଝିଅଙ୍କ ପାଇଁ କଂସ ଅତ୍ୟାଚାର କରୁଛି । ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଯଦି ସରକାର ଚେତିଥାନ୍ତେ ତେବେ ସୌମ୍ୟାଶ୍ରୀ, ବଳଙ୍ଗା ଏବଂ ବର୍ତ୍ତମାନର ଧଉଳି, ଚାନ୍ଦବାଲି ଘଟଣା ଦେଖିବାକୁ ମିଳି ନଥାନ୍ତା । ଯେହେତୁ ସରକାର ଏବଂ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ତେଣୁ ଅପରାଧୀଙ୍କ ମନୋବଳ ବୃଦ୍ଧି ପାଇଲା । ପୋଲିସକୁ ମଧ୍ୟ ନିରପେକ୍ଷ ଅନୁସନ୍ଧାନ କରିବାକୁ ଦିଆଯାଉ ନାହିଁ ବୋଲି ଡଃ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *