ବିକଶିତ ଓଡ଼ିଶା ସ୍ୱପ୍ନ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ମଙ୍ଗଳବାର ଲୋକସେବା ଭବନରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡ଼ିଶା ଏକ Growth Engine ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶା ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି।

ନୀତି ଆୟୋଗର ସିଇଓ ଶ୍ରୀ ସୁବ୍ରମନିୟମ କହିଥିଲେ ଯେ, ଓଡିଶାର ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।

ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି। ଏହି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। ଭିଜନ ଡକ୍ୟୁମେଣ୍ଟର କାର୍ଯ୍ୟାନ୍ବୟନ ପାଇଁ ସ୍ୱତନ୍ତ୍ର ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯିବ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନୀତି ଆୟୋଗର ସିଇଓ ଏବଂ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ସମସ୍ତ ବିଭାଗର ସଚିବମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *