ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆଜି ସପ୍ତମ ଥର ଜନତା ପାଇଁ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଜନତା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରି ଜଣାଉଛନ୍ତି। ସେମାନଙ୍କ ଅଭିଯୋଗ ଶୁଣିବା ପରେ ଯଥାଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେହି ମଧ୍ୟରୁ ଆଜି ଅଜଣା ରୋଗରେ ପୀଡ଼ିତ ଥିବା ନାବାଳକର ଅଭିଯୋଗ ଶୁଣିବା ପରେ ତୁରନ୍ତ ଆକ୍ସନ୍ସ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବୌଦ୍ଧ ଜିଲ୍ଲା ହେରମ୍ବ ଗିରିଙ୍କ ୭ ବର୍ଷର ପୁଅ ପ୍ରତ୍ୟୁଷ ଗିରି ଏକ ଅଜଣା ଜଟିଳ ରୋଗରେ ପୀଡ଼ିତ ହୋଇ ନିଜର ଦୃଷ୍ଟି ଶକ୍ତି ହରାଇ ବସିଛି । ପାଖରେ ସେତିକି ସମ୍ବଳ ନ ଥିବାରୁ ପୁଅର ଅଧିକ ଚିକିତ୍ସା ମଧ୍ୟ କରାଇ ପାରି ନ ଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଦୁଃଖ କହିଥିଲେ ହେରମ୍ବ । ମୁଖ୍ୟମନ୍ତ୍ରୀ ହେରମ୍ବଙ୍କ ଗୁହାରୀ ଶୁଣିବା ମାତ୍ର ଅଜଣା ରୋଗରେ ପୀଡ଼ିତ ନାବାଳକକୁ ଆମ୍ବୁଲାନ୍ସ ମଗାଇ ଚିକିତ୍ସା ଲାଗି ଏସସିବି ମେଡିକାଲକୁ ପଠାଇଛନ୍ତି । ସମ୍ପୂର୍ଣ୍ଣ ମାଗଣାରେ ନାବାଳକର ଚିକିତ୍ସା କରାଯିବା ସହିତ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବା ପାଇଁ ଆଜି ସକାଳ ୮ଟାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ୟୁନିଟ୍-୫ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ଜମାଇଥିଲେ। ସକାଳ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ବେଳେ ସକାଳ ୯ଟାରୁ ୧୨ଟା ଭିତରେ ଏଥିପାଇଁ ପଞ୍ଜୀକରଣ ଚାଲିଥିଲା। ଲୋକଙ୍କ ଭିଡ଼କୁ ନଜରରେ ରଖି ସାଧାରଣ ପ୍ରଶାସନ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *