ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ । ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ । ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ । ନୂଆଁଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ । ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ । ସମ୍ବଲପୁର ପଶ୍ଚିମ ଓଡିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ । କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓଡିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି । ନୂଆଁଖାଇ ହେଉଛି ଚାଷ ଭିତ୍ତିକ ପର୍ବ, କୃଷକଙ୍କ ପରିଶ୍ରମ ପାଇଁ ଆମେ ପାଳୁଥିବା ପର୍ବ । ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବହୁ ଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ । ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କ ସରକାର। କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ । ଗତ ଏପ୍ରିଲ ୨୧ ତାରିଖ ଦିନ ମୁଁ ପୁରା କ୍ୟାବିନେଟ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ । ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୯ ହଜାର ୩୭୭ ଗୋଟି ଅଭିଯୋଗ ମିଳିଥିଲା ଯାହା ମଧ୍ୟରୁ ତୁରନ୍ତ on-the-spot ୮୮ ପ୍ରତିଶତ ସମାଧାନ କରା ଯାଇଥିଲା। ତେଣୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ଯନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବ ତାହା ନୁହେଁ, ଯଦି ଆବଶ୍ଯକ ହୁଏ, ମୁଁ କ୍ଯାବିନେଟ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ପୁଣି କହିଥିଲେଯେ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ । ଏଣୁ ରାଜ୍ୟ ସରକାର ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ- ପାରାଦୀପ-ଚୌଦ୍ୱାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲା କୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକଶିତ କରିବେ । ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ୱିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ । ଆମେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ଵତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ । ଏଥିରେ ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ। ହରିଶଙ୍କର-ନୃସିଙ୍ଘନଥ ପୀଠକୁ ସ୍ଵତନ୍ତ୍ର ଭାବେ ବିକଶିତ କରାଯିବ । Post navigation ସମ୍ବଲପୁରରେ ମା ସମଲେଶ୍ଵରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା