୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ । ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୦ ହଜାର କୋଟି ମଞ୍ଜୁର ମିଳିଥିବା ବେଳେ ରାଜ୍ୟ ରାଜପଥ ପ୍ରକଳ୍ପ ପାଇଁ ୧୩ ହଜାର କୋଟି ଟଙ୍କା ମଞ୍ଜୁର ମିଳିଛି । ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ ହେବ ନୂତନ ଗ୍ରୀନ୍‌ ଫିଲଡ ରାସ୍ତା । ଏ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ କରି ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି ।

ଏ ନେଇ ମନ୍ତ୍ରୀ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆର୍ଆଇଏଫ୍ ପ୍ରକଳ୍ପ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତୋଳା-ଇଚ୍ଛାପୁରମ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ ଅନୁମୋଦନ ମିଳିଛି । ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ୍-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ କରିବା ପାଇଁ ଏବଂ ଏନ୍ଏଚ୍-୧୪୯ ଅଧିନରେ ଥିବା ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା-ପିଟିରି ରାସ୍ତାକୁ ୪ ଲେନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ।

ଅନ୍ୟପକ୍ଷରେ ୨୦୨୫ ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଅବସରରେ ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରାଳୟର ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ୧୫୦୦ କୋଟି ଟଙ୍କା ସିଆର୍ଆଇଏଫ୍ ଯୋଜନା ଅଧିନରେ ଅନୁମୋଦନ ମିଳିଛି । ସେହିପରି ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ୧୩,୧୪୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ବରପାଲି-ବଲାଙ୍ଗିର ରାସ୍ତା ଓ କେସିଙ୍ଗା – ଭବାନୀପାଟଣା – ଜୁନାଗଡ଼ ରାସ୍ତାକୁ ୪ ଲେନ୍ କରିବା, ୪ ଲେନ୍ବିଶିଷ୍ଟ ବଲାଙ୍ଗିର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳୁଷଣ୍ଢପୁର ରାସ୍ତାକୁ ୪ ଲେନ୍ କରିବା ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତିକରଣ ସହ ଏନ୍ଏଚ୍-୨୬ର ପ୍ରଶସ୍ତିକରଣକୁ ଅନୁମୋଦନ ମିଳିଛି।

Leave a Reply

Your email address will not be published. Required fields are marked *