ଆସନ୍ତାକାଲି ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଓ ଦ୍ୱାଦଶ ପରୀକ୍ଷା। ଚଳିତ ଥର ୪୬ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କରିଛି ସିବିଏସସି। CBSE ୨୦୨୬ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସ୍କୁଲ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକ ପରାମର୍ଶ ଜାରି କରିଛି, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ବିଳମ୍ବ ଏଡାଇବା ପାଇଁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ଯଥେଷ୍ଟ ପୂର୍ବରୁ ପହଞ୍ଚିବାକୁ ଅନୁରୋଧ କରାଯାଇଛି।

ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ନିର୍ଦ୍ଦେଶ ଦେଇଛି। ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ। ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ମଙ୍ଗଳବାର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସବୁ ସେଣ୍ଟରରେ କଡାକଡି ଚେକିଂ ହେବା ନେଇ ସୂଚନା ରହିଛି।

CBSEର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସନ୍ୟମ ଭରଦ୍ୱାଜ ଘୋଷଣା କରିଛନ୍ତି ଯେ ସକାଳ ୧୦ଟା ୩୦ରେ ଆରମ୍ଭ ହେବାକୁ ଥିବା ସକାଳ ସିଫ୍ଟ ପ୍ରଶ୍ନପତ୍ର ପାଇଁ ସକାଳ ୧୦ଟା ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରୀକ୍ଷା ପ୍ରଶ୍ନପତ୍ର ୧୦:୧୫ରେ ବଣ୍ଟାଯିବ। ତଥାପି, ଭିନ୍ନକ୍ଷମ (PwD) ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ଅତିରିକ୍ତ ସମୟ ଦିଆଯିବ। ସେହିପରି ପ୍ରଶ୍ନପତ୍ର ପଢିବାର ୧୫ ମିନିଟ୍ ମଧ୍ୟରେ ଛାତ୍ରମାନଙ୍କୁ ହଇରାଣ ନ କରିବାକୁ ବୋର୍ଡ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କହିଛି।

ଅନ୍ୟପଟେ ପ୍ରଥମ ବୋର୍ଡ଼ ବାଧ୍ୟତାମୂଳକ କରାଯାଇଛି ।  ଛାତ୍ରଛାତ୍ରୀ ଚାହିଁଲେ ଦ୍ଵିତୀୟ ବୋର୍ଡ ପରୀକ୍ଷା ଦେଇପାରିବେ । ତେବେ ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ ଦ୍ଵିତୀୟ ବୋର୍ଡ ଦେଇପାରିବେନି । ପ୍ରଥମ ବୋର୍ଡ଼ ପରୀକ୍ଷା ବାଧ୍ୟତାମୂଳକ ଅଟେ । ପ୍ରଥମ ବୋର୍ଡ଼ରେ ଅତିକମରେ ୩ ଟି ବିଷୟରେ ବା ତା’ଠୁ ଅଧିକ ବିଷୟରେ ପରୀକ୍ଷା ଦେଇଥିଲେ ଦ୍ଵିତୀୟ ବୋର୍ଡ ଦେଇ ପାରିବେ । ଦ୍ଵିତୀୟ ବୋର୍ଡରେ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଲାଙ୍ଗୁଏଜ ବିଷୟରୁ ଯେ କୌଣସି ୩ ଟି ବିଷୟରେ ପରୀକ୍ଷା (ରିପିଟ) ଦେଇପାରିବେ । ସର୍ବାଧିକ ମାର୍କ ହିସାବକୁ ନିଆଯିବ । ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ “ଏସଏନସିଆଲ ରିପିଟ ” ବର୍ଗରେ ରହିବେ । ଫଳରେ ତା ପର ବର୍ଷ ବୋର୍ଡ ଦେବେ ।

Leave a Reply

Your email address will not be published. Required fields are marked *