ଆଜି ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ତଥ୍ୟ ଜାଲିଆତିକୁ ନେଇ ପିସିସି ମିଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତି ଉଜାଗର କରାଯାଇଛି। ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ ମହାନନ୍ଦ କହିଛନ୍ତି, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠ ପଢିବା ସହ ସରକାରୀ ଚାକିରି କରିବା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ହାସଲ କରିଥିଲେ। ମନ୍ତ୍ରୀଙ୍କ ଏହି ଜାଲିଆତିକୁ ନେଇ ଅନେକ ଦିନ ତଳୁ ପାଟଣାଗଡ଼ର ଡିଙ୍ଗର କୁମ୍ଭାର ନାମକ ଜଣେ ଆଇନଜୀବି ତଥା ସମାଜସେବୀ କୋର୍ଟଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀଙ୍କ ଏହି କାରସାଦି ଧରା ପଡିବା ପରେ ସାରା ରାଜ୍ୟରେ ଆନ୍ଦୋଳନ କରାଯାଇଥିଲା ଓ ନିଜେ କଂଗ୍ରେସ ନେତା ଅଭିଷେକ ମହାନନ୍ଦ କିଛି ଦିନ ତଳେ ପ୍ରେସ କନଫରେନସ କରି ମନ୍ତ୍ରୀଙ୍କ ଜାଲିଆତିର ପର୍ଦ୍ଦାଫାଶ କରିଥିଲେ । ଅଭିଷେକ ମହାନନ୍ଦ ଆଉ ମଧ୍ୟ କହିଛନ୍ତି, ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଭାଜପା ସରକାର ,ମନ୍ତ୍ରୀଙ୍କ ଜାଲିଆତି ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୁର୍ନବାର ସମାଜସେବୀ ଡିଙ୍ଗର କୁମ୍ଭାର ପଦମପୁର ଥାନାରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନା ଆଇଆଇସି କେଶ୍ ଟିକୁ ରୁଜୁ କରିନଥିଲେ। ପରେ ଏନେଇ ଏକ ମାମଲା ହାଇକୋର୍ଟରେ ଅଭିଯୋଗ କାରି ଆବେଦନ କରିବା ପରେ ହାଇକୋର୍ଟ ପଦମପୁର ଏସଡିଜେଏମ୍ କୋର୍ଟକୁ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପଦମପୁର ଏସଡିଜେଏମ୍ କୋର୍ଟ ମନ୍ତ୍ରୀଙ୍କ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। ଅଭିଷେକ ପ୍ରଶ୍ନ କରି କହିଛନ୍ତି ମନ୍ତ୍ରୀଙ୍କ ଜାଲିଆତିର ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ପୋଲିସ କାହିଁକି ଏତଲା ରୁଜୁ କରୁନାହିଁ? କୋର୍ଟ କହୁଛି ଏଫଆଇଆର ରୁଜୁ କର ଆଉ ଏପଟେ ପୋଲିସ ନୀରବ। ଏସଡିଜେଏମ୍ କୋର୍ଟଙ୍କ ଆଦେଶ କୁ କେଉଁ ସାହସରେ ପୋଲିସ ଅବମାନନା କରୁଛି ? କାହା ଚାପରେ ରହୁଛି ପୋଲିସ ? ଏଠି ମନ୍ତ୍ରୀ ମୁକେଶଙ୍କ ପ୍ରଭାବ କାମ କରୁଛି କି ? ଗୋଟିଏ ପଟେ କେନ୍ଦ୍ର ସରକାର ଦାଗୀ ନେତାଙ୍କ ପାଇଁ ଆଇନ ଆଣୁଛନ୍ତି । ଜାଲିଆତି ଧରାପଡିଲେ ଏପରିକି ପ୍ରଧାନମନ୍ତ୍ରୀ କି ମୂଖ୍ୟମନ୍ତ୍ରୀ ବି ଏଥିରୁ ବାଦ୍ ପଡିବେନି ବୋଲି କହୁଥିବା ବେଳେ ମନ୍ତ୍ରୀ ମୁକେଶଙ୍କ ବେଳେ ସରକାର ଚୁପ୍ କାହିଁକି ବୋଲି କଂଗ୍ରେସ ନେତା ଅଭିଶଷକ୍ କହିଛନ୍ତି । ପୁର୍ବରୁ ଭାଜପା ଭୋଟ ଚୋରି କରୁଥିବା ଅଭିଯୋଗ ହେଉଥିଲା ବେଳେ ଏବେ ଦଳ ଜାତି ଚୋରି ଭଳି ଚଂଚକତାରେ ବ୍ୟସ୍ତ ବୋଲି ସେ କହିଛନ୍ତି । କୋର୍ଟଙ୍କ ଆଦେଶ ଅନୁଯାୟୀ ମନ୍ତ୍ରୀଙ୍କ ବିରୁଦ୍ଧରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହିତ ନ୍ୟାୟାଳୟଙ୍କ ନିରୀକ୍ଷଣରେ ନିରପେକ୍ଷ ତଦନ୍ତ ହେବା ସହିତ ତଦନ୍ତକୁ ପ୍ରଭାବମୁକ୍ତ କରିବା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଆଜି କଂଗ୍ରେସ ମୁଖପାତ୍ର ଦାବୀ କରିଛନ୍ତି । ବରିଷ୍ଠ ଆଇନଜୀବି ତଥା ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଏସଡିଜେଏମ କୋର୍ଟ ନିର୍ଦେଶ ଦେଲାପରେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏହା ସିଧାସଳଖ କୋର୍ଟଙ୍କ ନିର୍ଦେଶ ଅବମାନନା ଅଟେ । ଗୋଟିଏ ପଟେ କେନ୍ଦ୍ର ବିଜେପି ସରକାର ଅପରାଧିକ ମାମଲାରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦି ପଦବୀ ହରାଇବେ ବୋଲି ଲୋକସଭାରେ ବିଲ ଆଗତ କରିଥିବାବେଳେ ଅନ୍ୟ ପଟେ ଓଡ଼ିଶାରେ ତାଙ୍କ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଜାତି ପ୍ରମାଣପତ୍ର ଜାଲିଆତି ମାମଲା ପ୍ରମାଣ ସହିତ ଜଣା ପଡିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଆଇନଜୀବୀ ତଥା ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଏହି ମାମଲାର ଆଇନଗତ ଦିଗ ତର୍ଜମା କରି କହିଛନ୍ତି ଯେ ସରକାର କେବଳ ନିରୀହ ଜନତାଙ୍କ ଉପରେ ଆଇନ କାନୁନ ଭୟ ଦେଖାଇ ମୁହଁ ବନ୍ଦ କରିବା ଜାଣିଛି କିନ୍ତୁ କ୍ଷମତାରେ ଥିବା ଲୋକଙ୍କ ଉପରେ ଆଇନ କାମ କରୁନି । ଏଭଳି ହେଲେ ସମାଜରେ ଅରାଜକତା ନିଶ୍ଚୟ ବ୍ୟାପିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତଦନ୍ତରେ ସ୍ୱଚ୍ଛତା ଆସିବା ପାଇଁ ନୈତିକତା ଦୃଷିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି। Post navigation ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କଲେ ନବୀନ ମେଡିକାଲ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଥିବା ଚମ୍ପା ରାସ୍ପେଦାଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ